ପାକିସ୍ତାନ ଗୁରୁଦ୍ୱାର, ଚର୍ଚ୍ଚ, ମନ୍ଦିର ଉପରେ ଆକ୍ରମଣ କରୁଛି : ବିକ୍ରମ ମିଶ୍ରୀ

ନୂଆଦିଲ୍ଲୀ-: ଆଜି ସନ୍ଧ୍ୟା ୫ଟା ୩୦ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ବ୍ରିଫିଂ କରାଯାଇଛି । ବ୍ରିଫିଂ ରେ ବିକ୍ରମ ମିଶ୍ରୀ କହିଛନ୍ତି, ସ୍କୁଲ ଓ ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ । ପାକିସ୍ତାନ ଗୁରୁଦ୍ୱାର, ଚର୍ଚ୍ଚ, ମନ୍ଦିର ଉପରେ ଆକ୍ରମଣ କରୁଛି । ପୁଞ୍ଚର ଖ୍ରୀଷ୍ଟିଆନ ସ୍କୁଲ ନିକଟରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ୨ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ । ଏଭଳି ଆକ୍ରମଣ କରି ନିମ୍ନ ସ୍ତରକୁ ଖସିଛି ପାକିସ୍ତାନ । କରତାପୁର କରିଡର ପରବର୍ତ୍ତୀ ଆଦେଶ ଯାଏଁ ବନ୍ଦ ରହିବ । ପାକିସ୍ତାନ ପୁଣି ଥରେ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିମାଡ଼ ଆରମ୍ଭ କରିଛି। ଉରି ସେକ୍ଟରରେ ପାକିସ୍ତାନ ପୁଣି ଥରେ ଗୁଳିବର୍ଷା ଆରମ୍ଭ କରିଦେଲା। ଗାଁଲୋକେ କହିଛନ୍ତି ଯେ ସେମାନେ ୫-୬ଟି ଶବ୍ଦ ଶୁଣିଛନ୍ତି।

“ଅମୃତସର ଆକ୍ରମଣ କରିବା ନେଇ ପାକିସ୍ତାନର ବୟାନ ହାସ୍ୟାସ୍ପଦ । ବିଫଳ ଡ୍ରୋନ୍ ଆକ୍ରମଣ ସତ୍ତ୍ୱେ ପାକିସ୍ତାନ ତାର ବେସାମରିକ ଆକାଶ ସୀମା ବନ୍ଦ କରିନାହିଁ, ଯାହା ବିପଜ୍ଜନକ ଏବଂ ଦାୟିତ୍ୱହୀନ । ଏହା କେବଳ ପାକିସ୍ତାନ ନୁହେଁ ବରଂ ଅନ୍ତର୍ଜାତୀୟ ବିମାନଗୁଡ଼ିକର ସୁରକ୍ଷାକୁ ମଧ୍ୟ ବିପଦରେ ପକାଇଛି।  ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି,  ପାକିସ୍ତାନ ନିଜର କାର୍ଯ୍ୟକୁ ସ୍ୱୀକାର କରିବା ପରିବର୍ତ୍ତେ ଏକ ଅବାନ୍ତର ଏବଂ ଘୃଣ୍ୟ ଦାବି କରିଛି ଯେ ଭାରତୀୟ ସଶସ୍ତ୍ର ବାହିନୀ ଅମୃତସର ଭଳି ନିଜ ସହରକୁ ଟାର୍ଗେଟ କରୁଛି ଏବଂ ପାକିସ୍ତାନ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛି। ଏହାର ଇତିହାସ ଦର୍ଶାଉଛି ଯେ ଏହା ଏପରି କାର୍ଯ୍ୟରେ ପାରଙ୍ଗମ। ପାକିସ୍ତାନ ଭୁଲ ସୂଚନା ପ୍ରସାର କରିଛି ଯେ ଭାରତ ଡ୍ରୋନ ଆକ୍ରମଣ ମାଧ୍ୟମରେ ନାନକାନା ସାହିବ ଗୁରୁଦ୍ୱାରକୁ ଟାର୍ଗେଟ କରିଥିଲା, ଯାହା ଆଉ ଏକ ସ୍ପଷ୍ଟ ମିଛ। ପାକିସ୍ତାନ ଏକ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପରିସ୍ଥିତିକୁ ସାମ୍ପ୍ରଦାୟିକ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି।