ନୂଆଦିଲ୍ଲୀ: ଶେଷରେ ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ମୁହାଁମୁହିଁ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ରାଜି ହୋଇଛି। ଲାହୋରରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ପାକିସ୍ତାନ ପକ୍ଷରୁ ଏହି ସିଦ୍ଧାନ୍ତ ନିଆଯାଇଛି। ଏହା ସହ ୧୫ ଫେବୃଆରୀରେ ଭାରତ-ପାକିସ୍ତାନ ହାଇଭଲଟେଜ୍ ମ୍ୟାଚ୍ କନଫର୍ମ ହୋଇଛି। ପୂର୍ବରୁ ପାକିସ୍ତାନ ଭାରତ ସହ ମ୍ୟାଚ୍ ନ ଖେଳିବା ଘୋଷଣା କରିଥିବାରୁ ବିଶ୍ୱକପ୍କୁ ନେଇ ବିବାଦ ଦେଖାଦେଇଥିଲା। ତେବେ ଏହି ବିବାଦ ସତ୍ତ୍ୱେ ମଧ୍ୟ ଆଇସିସି ପକ୍ଷରୁ ଜାରି ହୋଇଥିବା ଟି-୨୦ ବିଶ୍ୱକପ୍ର ଶେଡ୍ୟୁଲରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ସ୍କଟଲ୍ୟାଣ୍ଡ ବଦଳରେ ବାଙ୍ଗଲାଦେଶ ଟୁର୍ନାମେଣ୍ଟରେ ସାମିଲ ହେବା ସମୟରେ ମାତ୍ର ଶେଡ୍ୟୁଲରେ ସଂଶୋଧନ କରାଯାଇଥିଲା।
ଭାରତୀୟ ଟିମ୍ର କପ୍ତାନ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଶେଡ୍ୟୁଲ ଅନୁଯାୟୀ କୋଲମ୍ବୋକୁ ଯାଇ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ ରହିବ। ଭାରତ ପକ୍ଷରୁ ସମସ୍ତ ପ୍ରୋଟୋକଲ୍ ମାନାଯିବ ବୋଲି ସେ କହିଥିଲେ, କାରଣ ଭାରତ କେବେ ମଧ୍ୟ ପାକିସ୍ତାନ ସହ ମ୍ୟାଚ୍ ଖେଳିବାକୁ ଅସ୍ୱୀକାର କରିନଥିଲା। ଏହି ମଧ୍ୟବେଳେ ଟି-୨୦ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ଉଭୟ ଦଳ ନିଜ-ନିଜ ଅଭିଯାନର ଆରମ୍ଭ ବିଜୟ ସହ କରିଛନ୍ତି। ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ରେ ୟୁଏସଏକୁ ୨୯ ରନ୍ରେ ପରାଜିତ କରିଥିବା ବେଳେ, ପାକିସ୍ତାନ ନେଦରଲ୍ୟାଣ୍ଡସ୍କୁ ୩ ୱିକେଟ୍ରେ ପରାସ୍ତ କରି ଜିତ ହାସଲ କରିଛି।