(ନୁଆଦିଲ୍ଲୀ): ଅକ୍ସଫୋର୍ଡ ଭ୍ୟାକସିନ କୋଭିସିଲଡର ମାନବ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ଏହି ଭ୍ୟାକସିନ ମାନବ ଶରୀରରେ କେତେ ଦୁର କାମ କରୁଛି ତାର ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଭାରତରେ ଏହି ଭ୍ୟାକସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ବା ଡିଜିସିଆଇ ଅନୁମତି ଦେଇଛି । ତେବେ ଏହି ମାନବ ପରୀକ୍ଷଣ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ସେରମ ଇନଷ୍ଟିଚ୍ୟୁଟ ସଂସ୍ଥା କରିବ । ଏହି ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସେରମ ଇନଷ୍ଟିଚ୍ୟୁଟ ସଂସ୍ଥା ଦ୍ୱାରା କରାଯାଇଥିଲା । ସେଥିରୁ ଉତ୍ସାହପ୍ରଦ ଫଳାଫଳ ମିଳିଥିଲା । ଏ ନେଇ ଚଳିତ ମାସର ଆରମ୍ଭରେ ବିଭିନ୍ନ ମେଡିକାଲ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିଲା । ଉକ୍ତ ରିପୋର୍ଟରେ ଏହି ଟିକା ଦେବାର ୫୬ ଦିନ ଭିତରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ସହିତ ଟି-ସେଲ ମଧ୍ୟ ବିକଶିତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ତେବେ ପରୀକ୍ଷଣ ରିପୋର୍ଟରେ ଭଲ ଫଳାଫଳ ଆସିବା ପରେ ଏହି ଟିକାର ତୃତୀୟ ମାନବ ପରୀକ୍ଷଣ ପାଇଁ ପସ୍ତୁତି ଆରମ୍ଭ ହୋଇଛି ।