ଭୁବନେଶ୍ଵର: ରାସନ କାର୍ଡକୁ ନେଇ ଆସିଲା ବଡ ଖବର । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀଙ୍କ କହିବା ଅନୁସାରେ, ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ e-KYC କରିନାହାଁନ୍ତି । e-KYC କରିନଥିବା ଲୋକଙ୍କର ଏବେ ଚାଉଳ ବନ୍ଦ କରାଯାଇଛି । ଯଦି ହିତାଧିକାରୀଙ୍କ ପାଖକୁ ଚାଉଳ ଯାଉନି ସେମାନେ e-KYC କଲେ ସରକାର ଚାଉଳ ଦେବେ । e-KYC କରିନଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିବ ସରକାର । କାର୍ଡ ଗୁଡ଼ିକ ସେହି ସମୟରେ ସସପେଣ୍ଡ୍ ଅବସ୍ଥାରେ ରହିବ । ଆସନ୍ତା ୩ ମାସରେ e-KYC ନକଲେ କାର୍ଡ ଗୁଡ଼ିକ କାଟିଦେବେ ରାଜ୍ୟ ସରକାର । ନେଟୱର୍କ ନଥିବା ଜିଲ୍ଲାମାନଙ୍କରେ ନେଟୱର୍କ ବ୍ୟବସ୍ଥା କରାଯାଇଛି । ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୫% ରାସନ କାର୍ଡ ଧାରକ E-KYC କରି ସାରିଛନ୍ତି। ଯେଉଁମାନେ ଏହା କରିନାହାଁନ୍ତି, ସେମାନଙ୍କୁ ରାସନ ଯୋଜନାରୁ ବାଦ୍ ଦିଆଯାଇଛି । ରାଜ୍ୟରେ ଗତ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଜାରି କରାଯାଇନଥିଲା। ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ୧୭ ଲକ୍ଷ ନୂଆ ଆବେଦନ ଆସିଥିଲା । ଏଥିରୁ ୬ ଲକ୍ଷ କାର୍ଡ ଇତିମଧ୍ଯରେ କରାଯାଇ ସାରିଛି ଏବଂ ଅନ୍ୟ ୧୫ ଲକ୍ଷ କାର୍ଡ ଅନୁମୋଦନ ପାଇଁ ପ୍ରକ୍ରିୟାଧୀନ ଅଛି। ନୂଆ ଆବେଦନଗୁଡିକ କେବଳ ବ୍ଲକ କାର୍ଯ୍ୟାଳୟ ନୁହେଁ, ଜନ ସେବା କେନ୍ଦ୍ର ମାଧ୍ୟମରେ ଅନଲାଇନ୍ ଆବେଦନ ମଧ୍ଯ ଗ୍ରହଣ କରାଯାଉଛି।
ଏହା ସହିତ ଯେଉଁ ହିତାଧିକାରୀମାନେ E-KYC କରି ନାହାଁନ୍ତି ସେମାନଙ୍କର କାର୍ଡ ଏବେ ସସପେଣ୍ଡ ରହିଛି । ତେଣୁ ସେମାନଙ୍କୁ ଏବେ ଚାଉଳ ମିଳୁନାହିଁ । ସେହି ହିତାଧିକାରୀଙ୍କ ପାଇଁ ସରକାର ଶେଷ ସୁଯୋଗ ଦେଇଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ଯଦି ସେହି ହିତାଧିକାରୀମାନେ e-KYC ନକରନ୍ତି ତେବେ ସେମାନଙ୍କର କାର୍ଡ ସମ୍ପୁର୍ଣ୍ଣ ଭାବରେ କଟିଯିବ । ତେଣୁ ଯଥାଶୀଘ୍ର e-KYC କରିଦିଅନ୍ତୁ, ନଚେତ ବିଭିନ୍ନ ଅସୁବିଧାରେ ପଡ଼ି ପାରନ୍ତି।