ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ

କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ । କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଗଣଶିକ୍ଷା ବିଭାଗର ଆକ୍ସନ୍ । କାର୍ଯ୍ୟାନୁଷ୍ଠାନ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ।

ତେବେ OTET ପ୍ରଶ୍ନ ପତ୍ର ଲିକ୍‌ ଘଟଣାରେ ଗତ ରବିବାର ନିହାର ମହାନ୍ତିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଆର୍ଥିକ କାରବାର ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ । ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍‌ଟପ୍‌କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ । କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍‌ଟପ୍‌କୁ ଏଫ୍‌ଟିପି (ଫାଇଲ୍ ଟ୍ରାନ୍‌ସଫର୍ ପ୍ରୋଟକଲ୍) ମାଧ୍ୟମ ବଦଳରେ ଇ-ମେଲ୍‌ରେ ପ୍ରଶ୍ନପତ୍ର ଆସିଥିଲା । ତଦନ୍ତରୁ ଜଣାପଡ଼ିଛି ଯେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଉପସଭାପତିଙ୍କ ଅଫିସରେ ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଅନୈତିକ ଭାବେ ବିଏସ୍‌ଇର ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ହାସଲ କରିଥିଲେ ।

ସେ ଏହାକୁ ରାଜ୍ୟ ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର ସଭାପତି ସନାତନ ବିଶୋୟୀଙ୍କୁ ପ୍ରଦାନ କରିଥିଲେ । ଏହି ବ୍ୟକ୍ତିମାନେ ପୂର୍ବ ସ୍ପେଶାଲ୍ ଓଟିଇଟି ପରୀକ୍ଷାରେ ଅସଫଳ ହୋଇଥିବା ଶିକ୍ଷକମାନଙ୍କୁ  ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ କୁମାର ରାଉତଙ୍କ ମାଧ୍ୟମରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିଥିଲେ । ଅଭିଯୁକ୍ତମାନେ ଏହି ପ୍ରଶ୍ନପତ୍ର ବଦଳରେ ଶିକ୍ଷକମାନଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦ ଟଙ୍କା ଗ୍ରହଣ କରିଥିଲେ ।