ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର-: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ତମ୍ବିତୋଫାନ୍ । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାର ଭିଡିଓ ଦେଖି ସେ ମର୍ମାହତ ହୋଇଥିବା କହିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ଓ ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ମଧ୍ୟ ସେ ଦାବି କରିଛନ୍ତି ।
ନବୀନ କହିଛନ୍ତି, “ଅତିରିକ୍ତ ସଚିବ ସ୍ତରର ଜଣେ ବରିଷ୍ଠ ଅଧିକାରୀ ରତ୍ନାକର ସାହୁଙ୍କୁ ତାଙ୍କ ଅଫିସରୁ ଟାଣି ବାହାର କରାଯାଇ ଜଣେ ଭାଜପା କର୍ପୋରେଟରଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କରାଯାଇଛି, ଯିଏ ଜଣେ ଭାଜପା କର୍ମୀଙ୍କ ସହ ଜଡ଼ିତ ବୋଲି ଅଭିଯୋଗ ରହିଛି। ଏହା ଦିବାଲୋକରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ ।ଯଦି ଜଣେ ବରିଷ୍ଠ ଅଧିକାରୀ ନିଜ ଅଫିସରେ ସୁରକ୍ଷିତ ନାହାନ୍ତି, ତେବେ ସାଧାରଣ ନାଗରିକମାନେ ସରକାରଙ୍କଠାରୁ କେଉଁ ଆଇନଶୃଙ୍ଖଳା ଆଶା କରିବେ?”
ସେ ଆହୁରି କହିଛନ୍ତି, “ମୁଖ୍ୟମନ୍ତ୍ରୀ ସରକାରଙ୍କ ଉପରେ ଜନତାଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବେ ବୋଲି ମୁଁ ଆଶା କରୁଛି। ପୂର୍ବତନ ରାଜ୍ୟପାଲଙ୍କ ପୁତ୍ରଙ୍କ ଦ୍ୱାରା ଅଧିକାରୀଙ୍କୁ ଆକ୍ରମଣ ଘଟଣା ପରି ଏହା ଦଣ୍ଡବିହୀନ ହେବା ଉଚିତ ନୁହେଁ। ଓଡ଼ିଶାର ଜନତା ଏହାକୁ କ୍ଷମା କରିବେ ନାହିଁ।”