ଦ୍ବିତୀୟ ଦିନରେ ଜାରି ରହିଛି ଜ୍ଞାନବାପୀର ସର୍ଭେ କାର୍ଯ୍ୟ । ଏଏସଆଇ ପକ୍ଷରୁ ଆଜି ସକାଳୁ ଆରମ୍ଭ ହୋଇଯାଇଛି ସର୍ଭେ କାମ । ଏଏସଆଇର ଏକ ଟିମ୍ ସକାଳ ୮ଟାରେ ଜ୍ଞାନବାପୀରେ ପହଞ୍ଚିଥିଲେ । ଅନ୍ୟପଟେ ସର୍ଭେ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁରା ପରିସରରେ ପୋଲିସ ଛାଉଣୀ କରାଯାଇଛି । ଜ୍ଞାନବାପୀର ୪ ନମ୍ବର ଗେଟରେ ଆରଏଏଫ ମୁତୟନ କରାଯାଇଛି । ଆଜି ଦ୍ବିତୀୟ ଦିନରେ ହିନ୍ଦୁପକ୍ଷର ଅଧିବକ୍ତା ବିଷ୍ଣୁ ଶଙ୍କର ଜୈନ ପହଞ୍ଚିଛନ୍ତି । ଏବଂ ଏହି ସର୍ଭେରେ ଭାଗ ନେବେ ବୋଲି କହିଛନ୍ତି ।
ଅନ୍ୟପଟେ ମସଜିଦ କମିଟିର ଅଧିବକ୍ତା ମଧ୍ୟ ଜ୍ଞାନବାପୀ ପରିସରରେ ପହଞ୍ଚିଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରାଯିବ ଏବଂ ସେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ତେବେ ସର୍ଭେରେ ଏଏସଆଇ ବିଭିନ୍ନ ଦିଗର ଯାଞ୍ଚ କରିବ । ଏହି ଢାଞ୍ଚାର ତଳେ କଣ ଅଛି ଏବଂ ଏହା କେତେ ବର୍ଷ ପୁରୁଣା ତାର ଖୋଳତାଡ କରିବ ଏଏସଆଇ । ଏପରିକି ଏହା ଔରାଙ୍ଗଜେବଙ୍କ ସମୟର କି ତାଠାରୁ ପୁରୁଣା ତାର ଯାଞ୍ଚ ମଧ୍ୟ କରାଯିବ । ଏସବୁ ଦିଗର ଖୁଲାସା କରିବ ଏଏସଆଇ । ପ୍ରଥମ ଦିନରେ ୭ଘଣ୍ଟାରୁ ଅଧିକ ସମୟ ଧରି ସର୍ଭେ କରାଯାଇଥିଲା । ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ସହ ମାପଚୁପ ମଧ୍ୟ କରାଯାଇଥିଲା ।