ସ୍ଵାଧୀନତାର ମହାପର୍ବ ସାରା ଦେଶରେ ଆଜି ହର୍ଷ ଉଲ୍ଲାସରେ ପାଳନ ହେଉଥିବା ବେଳେ ଖୋର୍ଦ୍ଧାରେ ମଧ୍ୟ ଜିଲ୍ଲା ସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ସଦ୍ୟ ଖୋର୍ଦ୍ଧାର ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଆଇ.ଏ.ଏସ୍. ଅଫିସର ଅମୃତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ସକାଳ ୯.୧୫ ମିନିଟ ସମୟରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ ଏବଂ ସୁସଜ୍ଜିତ ଖୋଲା ଜିପରେ ପାରେଡ ପଡ଼ିଆ ପରିକ୍ରମା କରିବା ସହିତ ଖୋର୍ଦ୍ଧା ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଖୋର୍ଦ୍ଧା ମାଟିର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ।
ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଅଳ୍ପେ ବହୁତେ ବୀରତ୍ୱର ଗାଥା ରହିଛି । ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଭାବେ ସାରା ଦେଶରେ ପରିଚିତ ଏଇ ଖୋର୍ଦ୍ଧାର ପ୍ରତ୍ୟେକ ଜନ ସାଧାରଣଙ୍କ ନିଜ ପରିବାର ସହିତ ନିଜ ଜନ୍ମମାଟି, ରାଜ୍ୟ ଏବଂ ଦେଶ ମାତୃକା ପାଇଁ ସହଯୋଗର ଆବଶ୍ୟକତା ରହିଥିବା ବେଳେ ଖୋର୍ଦ୍ଧାର ପାଣି ପବନରେ ବୀରତ୍ବ ଓ ସ୍ବାଭିମାନ ଭରି ହୋଇ ରହିଛି। ଖୋର୍ଦ୍ଧା ଜିଲ୍ଲା କଳା, ସାହିତ୍ଯ, ସଂସ୍କୃତି କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଏ ମହାନ ମାଟିରେ ଜନ୍ମ ନେଇ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ମହା ପୁରୁଷଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଏହା ପରେ ସମ୍ମିଳିତ ପ୍ୟାରେଡରେ ଭାଗ ନେଇଥିବା ପୋଲିସ ବିଭାଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରାୟ ୫୪ଟି କଣ୍ଟିଜେଣ୍ଟ ପ୍ୟାରେଡରେ ଅଂଶ ଗ୍ରହଣ କରି ପାରେଡ୍ ପ୍ରଦର୍ଶନ କରିଥିବା ବେଳେ ଖୋର୍ଦ୍ଧା ପୋଲିସର ବ୍ୟାଣ୍ଡ ଗ୍ରୁପର ବାଦ୍ୟଯନ୍ତ୍ର ସଂଯୋଜନା ଅତ୍ୟନ୍ତ ଚିତ୍ତାକର୍ଷକ ରହିଥିଲା। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ ଦ୍ବାରା ପ୍ରସ୍ତୁତ ୬ ଗୋଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆ ପରିକ୍ରମା କରିଥିଲେ । ସମ୍ମିଳିତ ପ୍ୟାରେଡ ପ୍ରଦର୍ଶନ ପରେ ବିଭିନ୍ନ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅନେକ ଗୁଡିଏ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରା ଯାଇଥିଲା ।