Human Sagar: ଓଲିଉଡ୍ କଣ୍ଠିଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ । ବୁଲେଟିନ୍ ଜାରି କରି ସୂଚନା ଦେଲା ଭୁବନେଶ୍ବର ଏମ୍ସ । ଏକାଧିକ ଅଙ୍ଗ କାମ କରୁନି, ହାଇ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସାଧୀନ ଅଛନ୍ତି ହ୍ୟୁମାନ ସାଗର ।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ୧ଟା ୧୦ରେ ହ୍ୟୁମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଜରୁରିକାଳୀନ ବିଭାଗରେ ପ୍ରାରମ୍ଭିକ ସ୍ଥିରତା ପରେ ଇଣ୍ଟେନ୍ସିଭିଷ୍ଟ ତଥା ଇସିଏମ୍ଓ ସ୍ପେଶାଲିଷ୍ଟ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଛି। ଭେଣ୍ଟିଲେଟର ସପୋର୍ଟରେ ରହିଥିବା ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ରହିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ମଲ୍ଟି ଅର୍ଗାନ ଡିସ୍ଫଙ୍କ୍ଶନ୍ ସିଣ୍ଡ୍ରୋମ୍ (ଏମ୍ଓଡିଏସ୍) ଯଥା ଏନ୍ସେଫାଲୋପାଥି, ଆଘାତ, ଶ୍ୱାସକ୍ରିୟା ବିଫଳତା, ତୀବ୍ର ବୃକକ୍ ଆଘାତ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ, କୋଆଗୁଲାପାଥି ଚିହ୍ନଟ ହୋଇଛି। ଏଥିସହ ଅତ୍ୟଧିକ କ୍ରନିକ୍ ଯକୃତ ବିଫଳତା, ବିଲାଟେରାଲ ନିମୋନିଆ, ଗୁରୁତର ଏଲ୍ଭି ସିଷ୍ଟୋଲିକ୍ ଡିସ୍ଫଙ୍କ୍ସନ ସହିତ ଡିଲାଟେଡ୍ କାର୍ଡିଓମାୟୋପାଥି ଚିହ୍ନଟ ହୋଇଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ରେ ବହୁ ରୋମାଣ୍ଟିକ୍ ଗୀତ ଭେଟି ଦେଇଥିବା ହ୍ୟୁମାନ୍ ସାଗର ଘରେ ଘରେ ପରିଚିତ। ଏଣେ ଆଜି ହ୍ୟୁମାନ୍ ସାଗରଙ୍କ ମା କହିଛନ୍ତି, ତାର ଅଙ୍ଗ କାମ କରୁନି। ଗୋଟିଏ ପ୍ରତିଶତ ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ଲାଗି ଚିନ୍ତା କରୁଛନ୍ତି। ଏଥିଲାଗି ରାଜ୍ୟ ସରକାର ତାଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ।