କଟକ: ଜଣାଶୁଣା ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ପାରିବାରିକ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଏହି ଘଟଣାରେ ଦୃଢ଼ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସାତ୍ୟକୀ ମିଶ୍ର କଟକ ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କରିଛନ୍ତି।

କଟକ ବାଲୁବଜାର ସ୍ଥିତ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ର ମାଲିକାନାକୁ ନେଇ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଛି। ସାତ୍ୟକୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଦୁଇ ବଡ଼ବାପାଙ୍କ ପୁଅ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ବେଆଇନ ଭାବେ ଏହି ସଂସ୍ଥାକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି। ଗତ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ସାତ୍ୟକୀଙ୍କ ଘରେ ପଶି ତାଙ୍କ ୮୪ ବର୍ଷୀୟ ବୃଦ୍ଧ ପିତା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଘରର ମହିଳାମାନଙ୍କ ପ୍ରତି ମଧ୍ୟ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ରହିଛି।

ଏହି ଘଟଣା ସମ୍ପର୍କରେ ସାତ୍ୟକୀ ମିଶ୍ର ପୁରୀଘାଟ ଥାନାରେ ଲିଖିତ ଏତଲା ଦାଖଲ କରିଥିଲେ। କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ସେ ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଭେଟି ସୁରକ୍ଷା ଦାବି କରିଛନ୍ତି। ଏହି ମାମଲାରେ ସାତ୍ୟକୀଙ୍କ ବଡ଼ ବାପାଙ୍କ ଦୁଇ ପୁଅ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।