ଭୁବନେଶ୍ଵର: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିଜେଡି ସାଂସଦମାନେ ବିରତ ରହିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଦିଲ୍ଲୀରୁ ପ୍ରେସମିଟ୍ କରି ସମ୍ଭବତଃ ନବୀନ ଏ ସମ୍ପର୍କରେ ଘୋଷଣା କରିପାରନ୍ତି ।
ବିଜେଡିର ନିଷ୍ପତ୍ତିକୁ ନିଶ୍ଚିତ କରି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଏହି ପଦକ୍ଷେପ ଆଞ୍ଚଳିକ ଦଳ ଏନଡିଏ ଏବଂ ଇଣ୍ଡିଆ ଗ୍ରୁପ୍ ଉଭୟଙ୍କଠାରୁ ସମାନ ଦୂରତା ବଜାୟ ରଖିବା ନୀତି ଆପଣେଇଛି। ଆମେ ଓଡ଼ିଶା ଏବଂ ଏହାର ୪.୫ କୋଟି ଲୋକଙ୍କ ବିକାଶ ଏବଂ କଲ୍ୟାଣ ଉପରେ ଧ୍ୟାନ ଦେଉଛୁ।” ଓଡ଼ିଶାରେ ବର୍ତ୍ତମାନ ମୁଖ୍ୟ ବିରୋଧୀ ଦଳ ଥିବା ବିଜେଡିର ରାଜ୍ୟସଭାରେ ସାତଟି ଆସନ ଅଛି କିନ୍ତୁ ଲୋକସଭାରେ କୌଣସି ପ୍ରତିନିଧିତ୍ୱ ନାହିଁ ।
ସୂଚନା ଥାଉକି , ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ । ସି.ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି ଏନଡିଏ । ମୈଦାନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ରହିଛନ୍ତି । କିନ୍ତୁ କାହାକୁ ବି ସମର୍ଥନ କରିବନି ବିଜେଡି । ଗତ କିଛିଦିନ ଧରି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ଚାଲିଥିଲା ଚର୍ଚ୍ଚା । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ଯେଉଁଥିରେ ଏନଡିଏ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିରୋଧୀ ମେଣ୍ଟ ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ତେବେ ଗଲା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା, ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଜଣାଇବ? ଆଉ ଶେଷରେ ବିଜେଡି ଏହି ନିର୍ବାଚନରେ ଭାଗ ନେବନି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।