ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ, ୩୦ ଲକ୍ଷ ଟଙ୍କାର ଗାଡ଼ି ଚଢୁଛନ୍ତି ଏହି କୋଟିପତି ସରକାରୀ ବାବୁ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ଜାଲରେ ଲାଗିଛି ଆଉ ଏକ ବଡ଼ ମାଛ । ଭିଜିଲାନ୍ସ ଫାଶରେ ଦିନକୁ ଦିନ ପଡ଼ିବାରେ ଲାଗିଛନ୍ତି କୋଟିପତି ସରକାରୀ ବାବୁ । କାହା ନିକଟରୁ ମିଳୁଛି ବିଡ଼ା ବିଡ଼ା ଟଙ୍କା ତ କାହା ନିକଟରୁ ମିଳୁଛି ଆଖି ଖୋସି ହେଲା ଭଳି ଅମାପ ସମ୍ପତ୍ତି । ତେବେ ଏହି କ୍ଷେତ୍ରରେ ଯୋଡ଼ି ହୋଇଯାଇଛି ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁଙ୍କ ନାମ । ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଜୋରଦାର ଚାଲିଛି ଭିଜିଲାନ୍ସ ଚଢାଉ । ଯାଞ୍ଚ ଯେତେ ଆଗକୁ ବଢୁଛି ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ତାଲିକାର ଗୁମର ଧିରେ ଧିରେ କରି ଖୋଲିବାରେ ଲାଗିଛି ।

ଏଯାବତ ଯନ୍ତ୍ରୀଙ୍କ ନିକଟରୁ ୮୪ ହଜାର ୫ ଶହ ଟଙ୍କା ନଗଦ ଜବତ କରାଯାଇଥିବା ସମୟରେ କୋଟିପତି କୁବେର ବାବୁଙ୍କ ଘରୁ ଅଜୟଙ୍କ ପାଖରେ ୩୦ ଲକ୍ଷ ଟଙ୍କାର ବାଇକ୍ ଥିବା ଜଣାପଡିଛି । ୨ଟି ହାର୍ଲେ ଡ଼େଭିଡ଼ସନ୍, ଗୋଟିଏ ଡ଼ୁକାଟି, ୨ଟି ସ୍କୁଟି, ଗୋଟିଏ ହୁଣ୍ଡାଇ କାର ଠାବ କରିଛି ଭିଜିଲାନ୍ସ ବିଭାଗ । ଏଥିରେ ୮ ଲକ୍ଷ ଟଙ୍କାର ଡୁକାଟି ବାଇକ୍, ସାଢେ ୫ ଓ ୭ ଲକ୍ଷ ଟଙ୍କାର ୨ଟି ହାର୍ଲି ଡେଭିଡସନ ରହିଛି ।

ଏହାସହ ୭୦ ହଜାର ଗୋଟିଏ ଗ୍ରାଜିଆ ସ୍କୁଟି ଓ ୫୫ ହଜାର ଟଙ୍କାର ସ୍କୁଟି ଡିଓ ଠାବ ହୋଇଛି । ସେହିଭଳି ୮ ଲକ୍ଷ ଟଙ୍କାର ହ୍ୟୁଣ୍ଡାଇ i-10 କାର ମଧ୍ୟ ଜବତ ହୋଇଛି । ବାଇକଟି ବାବୁଙ୍କ ପୁଅ ନାଁରେ ଥିବା ବେଳେ ଅଜୟ ମିଶ୍ରଙ୍କ ନାଁରେ ରହିଛି କାର । ଏହା ବ୍ୟତୀତ ତାଙ୍କ ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ୧୦ଟି ପ୍ଲଟ୍ ଓ ୩ଟି ବିଲ୍ଡିଂ ।ରେଡ ବେଳେ କିଛି ପାସବୁକ୍, ଏଟିଏମ ଓ ଇନସ୍ୟୁରାନ୍ସ ପେପର ଜବତ କରିଛି ଭିଜିଲାନ୍ସ ।

ଆଜି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟଙ୍କ ଘର ସମେତ ୬ଟି ସ୍ଥାନରେ ଆଜି ଚଢ଼ାଉ କରିଛି ବିଭାଗ । ଭୁବନେଶ୍ୱର ପଟିଆ ଶ୍ରୀବିହାର ସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ତାଙ୍କର ଭଡା ଘର, ନନ୍ଦନକାନନ ନିକଟ ରଘୁନାଥ ମୌଜାରେ ଥିବା ଘର, ନିର୍ମାଣ ସୌଦ୍ଧ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ସେହିପରି ଢେଙ୍କାନାଳ ତାରିଣୀ ନଗରରେ ଥିବା ୩ ମହଲା କୋଠା, ସଦର ଅଳସୁଆ ମୌଜାରେ ଥିବା ଘର, ତାଳଚେର ଥିବା ପୈତୃକ ଘରେ ମଧ୍ୟ ଚଢାଉ ଚାଲିଥିବା ସୂଚନା ମିଳିଛି । ଭିଜିଲାନ୍ସ ଡିଏସପି ଅନିରୁଦ୍ଧ ନାୟକଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ । ଚଢାଉରେ ୫ ଡିଏସପି, ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ସେହିଭଳି, କିଛିଦିନ ତଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ ଉନ୍ନୟନ ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ସେଠୀ ଭିଜିଲାନ୍ସ ବିଭାଗ ଜାଲରେ ପଡ଼ିଥିଲେ । ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଥିଲା । ଅନ୍ୟପକ୍ଷେ ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଇବାକୁ ଲାଗିଛି ଲାଞ୍ଚୁଆ ଏବଂ ଦୁର୍ନୀତିଖୋର ସରକାରୀ ବାବୁଙ୍କ ଲମ୍ବା ଚଉଡ଼ା ସମ୍ପତ୍ତି ତାଲିକା । ଆୟ ଅପେକ୍ଷା ଏମାନଙ୍କ ନିକଟରୁ ମିଳୁଛି ପୁଳା ପୁଳା ଆୟ ବହିର୍ଭୁତ କଳା ଧନ । ଯାହାକି ଏବେ ରାଜ୍ୟ ସରକାର ଏବଂ ଭିଜିଲାନ୍ସ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।