ନୂଆଦିଲ୍ଲୀ: ଆଜି ଜିଏସଟି ପରିଷଦର ୫୦ତମ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନଲାଇନ ଗେମିଂ ଉପରେ ଟ୍ୟାକ୍ସ, ରେଜିଷ୍ଟ୍ରେସନ ଓ ଇନପୁଟ ଟ୍ୟାକ୍ସ କ୍ରେଡିଟ ଆଦି ନିୟମକୁ କଡ଼ାକଡ଼ି କରିବା ନେଇ ଆଲୋଚନା ହୋଇପାରେ । ସିନେମା ହଲରେ ଖାଇବା ବର୍ତ୍ତମାନ ଯେତିକି ଦର ଅଛି ତାହା ମଧ୍ୟ କମିପାରେ । ଏବେ ମଲ୍ଟିପ୍ଲେକ୍ସରେ ଖାଇବାରେ ୧୮ ପ୍ରତିଶତ ଟିକସ ଲାଗୁଛି । କ୍ୟାନସର ମେଡିସିନ ଶସ୍ତା ହେବା ନେଇ ଆଲୋଚନା ହୋଇପାରେ ।
ଜିଏସଟି ପରିଷଦର ଏହି ବୈଠକରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମିଲ ହେବେ । କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବିକୁ ପୁଣିଥରେ ଦୋହରାଇବ ଓଡ଼ିଶା । ଦୀର୍ଘ ବର୍ଷଧରି କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ପାଖରେ ଦାବି କରିଆସୁଛନ୍ତି ରାଜ୍ୟ ସରକାର ।
ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୮ ଲକ୍ଷ ଆଦିବାସୀ କେନ୍ଦୁପତ୍ର ତୋଳାଳି ତଥା ବନ୍ଧାଳୀ ନିଜର ଜୀବନ ଜୀବିକା ନିର୍ବାହ କରନ୍ତି । ପରିବାରର ପେଟ ପୋଷିବା ପାଇଁ କେନ୍ଦୁପତ୍ର ହିଁ ସେମାନଙ୍କ ମୁଖ୍ୟ ରୋଜଗାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ବାରମ୍ବାର ଦାବି କରିବା ସହ ବିଜେଡି ସାଂସଦମାନେ ମଧ୍ୟ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।