ଭୂବନେଶ୍ଵର: ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଭୁବନେଶ୍ୱର OFDRA ପଡ଼ିଆରେ ୬୧ତମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି । ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶିକ୍ଷିତ ହୋଇଛନ୍ତି ୯୧୧ ଅଗ୍ନିଯୋଦ୍ଧା । ଗତ ନଭେମ୍ବର ମାସରେ ଏହି ଯୋଦ୍ଧମାନଙ୍କୁ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଗ୍ନିଶମ ବିଭାଗରେ ଖାଲି ପଡିଥିବା ୩୦୦ ପଦବୀ ଆସନ୍ତା ଡିସେମ୍ବର ସୁଦ୍ଧା ପୂରଣ ହେବ । ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିଯୋଦ୍ଧା ପଦବୀ ପୂରଣ ହୋଇଛି । ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶାରେ ଏକ ବିଶ୍ଵସ୍ତରୀୟ ସିମୁଲେଟର ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିପର୍ଯ୍ୟୟ କ୍ଷେତ୍ରରେ କିଭଳି ଭଲ କାମ କରାଯିବ, ସେଥିପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିଶମ ସେବା ପାଇଁ ଅନ୍ତର୍ଜାତୀୟସ୍ତରରେ ଆମେ ସମ୍ମାନିତ ହୋଇଛୁ। ଅଗ୍ନିଯୋଧ୍ୟାମାନଙ୍କ ପ୍ରଶିକ୍ଷଣରେ କିଭଳି ଉନ୍ନତ ହୋଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ। କୋଣାର୍କ ନିକଟ ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସ୍କୁବା ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାରଙ୍କ ଏନ୍ଡିଆରଏଫ୍ ସହିତ ଆମ ଅଗ୍ନିଯୋଧ୍ୟାମାନେ ମିଶି ପ୍ରଶିକ୍ଷିତ ହେବେ। ସେଥିପାଇଁ ଆସନ୍ତା ସେପ୍ଟେମ୍ବରରେ ଏକ ମିଳିତ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।