ଭୁବନେଶ୍ଵର: ସମଗ୍ର ରାଜ୍ୟରେ ଶୀତ ଲହରୀ । ଝାରସୁଗୁଡାରେ ପାରଦ ୫କୁ ଖସିଲା । ଭୋର ୫.୩୦ ସୁଦ୍ଧା ୫.୬ଡିଗ୍ରୀର ତାପମାତ୍ରା ରେକର୍ଡ । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୧୧.୬ ଡିଗ୍ରୀ । ଆହୁରି ଦୁଇ ସପ୍ତାହ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ତେବେ ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ବଢ଼ିବ ଜାଡ଼। ଆଗାମୀ ୨ ସପ୍ତାହ ଯାଏଁ ହାଡ଼ ଭଙ୍ଗା ଶୀତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜାଡ଼ ସହ କଲବଲ କରୁଛି କାଳୁଆ ପବନ ଓ କୁହୁଡ଼ି ।

ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ଯାହା ଫଳରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ । ତେଣୁ ପୁଣି ଥରେ ଜାଡ଼ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଉପକୂଳ ଅଞ୍ଚଳରେ ଦେଖା ଦେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖରୁ ରାଜ୍ୟରେ କୁହୁଡ଼ିର ପ୍ରାଦୁର୍ଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।