ନୂଆଦିଲ୍ଲୀ: ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ରେ ଓଡ଼ିଶାକୁ ସ୍ବର୍ଣ୍ଣପଦକ । ନୂଆଦିଲ୍ଲୀରେ ଅନୁଷ୍ଠିତ ବାଣିଜ୍ୟ ମେଳାରେ ଓଡ଼ିଶାକୁ ପୁରସ୍କାର । ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (ITPO) ତରଫରୁ ପୁରସ୍କାର । ସଫଳତା ପାଇଁ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କହିରଖୁଛୁ ଯେ, ୩୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ ।

୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ନବମ ଦିବସରେ ଭାରତ ମଣ୍ଡପମ ପରିସରସ୍ଥ ମୁକ୍ତାକାଶ ନାଟ୍ୟଶାଳାରେ ଆଜି ଆୟୋଜିତ ଓଡିଶା ରାଜ୍ୟ ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଏହି ସମାରୋହକୁ ଉଦଘାଟନ କରିବା ସହିତ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ପତ୍ରିକା ଦ୍ଵୟର ସ୍ଵତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ କରିଥିଲେ । ଏଥିସହିତ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସି ବିଭିନ୍ନ ବିଭାଗର ଷ୍ଟଲ୍ ଅଧିକାରୀ, ଶିଳ୍ପୀ ଓ ବୁଣାକାରଙ୍କ ସହ ବାର୍ତ୍ତାଳାପ କରି, ଓଡିଶାର ଗୌରବମୟ ଅତୀତକୁ ବଜାୟ ରଖିବା ସହ ଓଡ଼ିଶାକୁ ଆତ୍ମନିର୍ଭର ଓଡ଼ିଶାରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ ।