ବିଧାନସଭାରେ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିଧାୟକ, ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଦରମା ଓ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ସନ୍ଦର୍ଭରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାହାଲିଙ୍ଗ ବିଧାନସଭା ସଚିବାଳୟକୁ ଏକ ବିଧିବଦ୍ଧ ନୋଟିସ୍ ଜାରି କରିଛନ୍ତି। ବିଧାନସଭା ସଚିବାଳୟ ପକ୍ଷରୁ ସମସ୍ତ ବିଧାୟକଙ୍କୁ ଏକ ପତ୍ର ମାଧ୍ୟମରେ ଏହି ସୂଚନା ଜଣାଇ ଦିଆଯାଇଛି। ସଚିବ ସତ୍ୟବ୍ରତ ରାଉତଙ୍କ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୋଟ ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର ପାଇଁ ଅନୁମତି ଚାହିଁଛନ୍ତି।

ଏହି ବିଲ୍‌ମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭା ସଭ୍ୟଙ୍କ ଦରମା, ଭତ୍ତା ଓ ପେନସନ (ସଂଶୋଧନ) ବିଲ୍, ୨୦୨୫, ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍, ଉପ-ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍ ଏବଂ ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍, ୨୦୨୫ ଅନ୍ତର୍ଭୁକ୍ତ ଅଟେ। ପୂର୍ବରୁ ଏହି ବିଲ୍‌ଗୁଡ଼ିକ ବିଧାନସଭାରେ ଆଗତ ହୋଇଥିବାବେଳେ, ବର୍ତ୍ତମାନ ସରକାର ଏହାକୁ ପ୍ରତ୍ୟାହାର କରିବାକୁ ଆଗୁଆନ୍ ହୋଇଛନ୍ତି।

ଏହି ସନ୍ଦର୍ଭରେ ବିଧାନସଭା ସଚିବାଳୟ ନୋଟିସ୍‌ର ନକଲ ରାଜ୍ୟପାଳଙ୍କ ସଚିବ, ଆଡଭୋକେଟ ଜେନେରାଲ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗଙ୍କୁ ପଠାଇଦେଇଛି। ଏହି ପଦକ୍ଷେପ ପଛରେ ସରକାରଙ୍କ କୌଣସି ନୂତନ ନୀତିଗତ ଚିନ୍ତାଧାରା କିମ୍ବା ପରିସ୍ଥିତି ରହିଛି କି ନାହିଁ, ସେଥିପାଇଁ ଆଗାମୀ ଦିନରେ ସ୍ପଷ୍ଟତା ଆସିବ ବୋଲି ଅନୁମାନ କରାଯାଉଛି।