ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୪୨ କୋଟିର ବଜେଟ ମଞ୍ଜୁର

ଭୁବନେଶ୍ୱର: ଶାରଳା ମନ୍ଦିର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟିର ବଜେଟକୁ ମଞ୍ଜୁର କରାଯାଇଛି ।ତେବେ ବର୍ଷକରେ ସରିବ ମନ୍ଦିର କାମ ।ତେବେ ଏହି ଖବରକୁ ନେଇ ସେବାୟତ ମହଲରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଝଙ୍କଡ ପୀଠର ଉନ୍ନତି ପାଇଁ 5-ଟି ସଚିବ ଭି.କେ. ପାଣ୍ଡିଆନ ପୀଠ ପରିଦର୍ଶନ କରି ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଥିଲେ । ସବୁ ଦିଗକୁ ଦୃଷ୍ଟିରେ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା ଶାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ। ଅଷ୍ଟମ ଶତାଦ୍ଦୀରେ ରାଜା ମାନଙ୍କ ଦ୍ବାରା ନିର୍ମିତ ସାରଳା ମନ୍ଦିର ସବୁବେଳେ ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହିଛି । ମାଙ୍କ ଆଶୀର୍ବାଦ ପାଇଁ ଏଠାରେ ସବୁବେଳେ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ। ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ଏହାକୁ ସମନ୍ବିତ ହେରିଟେଜ ବିକାଶ ଓ ମନ୍ୟୁମେଣ୍ଟ ଏବଂ ଟୁରିଷ୍ଟ ଡେଷ୍ଟିନେସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

ଆଜି ଭୁବନେଶ୍ବରରେ ଅନୁଷ୍ଠିତ ଏକ ବୈଠକରେ ଏହି ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗ ଏ ସଂପର୍କରେ ମଡେଲ ଉପସ୍ଥାପନା କରାଯାଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଥିରେ ମନ୍ଦିର ପରିସରରେ ଥିବା ମନ୍ଦିରମାନଙ୍କ ବିକାଶ ହେବ । ଏହା ସହିତ ପୁଷ୍କରଣୀର ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଓ ଦକ୍ଷିଣ ଦ୍ବାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରଯିବ ।ଏତଦ୍‌ବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜାର, ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ। ଯାତ୍ରୀ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୋଲିସ କଣ୍ଟ୍ରୋଲ ରୁମ୍‌, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ।

ସେହିପରି ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀ ମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ। ବର୍ତ୍ତମାନର ସପିଂ କମ୍ପ୍ଲେକସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ସେଠାରେ ଗାଡି ମଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଚଉଡା କରାଯିବ ।