ବଢିଲା ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ

ସମ୍ବଲପୁର: ବଢିଲା ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ । କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆହୁରି ୬ ମାସ ବଢ଼ିଲା । ଆଜି କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଆହୁରି ୬ ମାସ କାର୍ଯ୍ୟକାଳ ବୃଦ୍ଧି ହୋଇଥିବା ନେଇ ଘୋଷଣା କରିଛନ୍ତି କୁଳାଧିପତି । ତେବେ ଗତ ଜୁଲାଇ ୨୧ ତାରିଖରୁ ଆଗାମୀ ଛଅ ମାସ ଯାଏ ସେ ନିଜ ଦାୟିତ୍ବରେ ରହିବେ ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନାମ ଘୋଷଣା କରିଥିଲେ। କାର୍ଯ୍ୟରେ ଯୋଗଦେବା ଦିନରୁ ୪ ବର୍ଷ ଲାଗି ପ୍ରଫେସର ଶ୍ରୀ ତ୍ରିପାଠୀ କୁଳପତି ଦାୟିତ୍ବରେ ରହିଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆର ବିଭାଗର ପ୍ରଫେସର ଶ୍ରୀ ତ୍ରିପାଠୀଙ୍କର ୩୦ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି । ତାଙ୍କ ଅଧୀନରେ ୧୭ ଜଣ ପିଏଚ୍‌ଡି ଓ ୪୦ ଜଣ ଛାତ୍ରଛାତ୍ରୀ ଏମ୍‌ଫିଲ୍‌ କରିଛନ୍ତି । ପ୍ରଫେସର ତ୍ରିପାଠୀ ଏଫ୍ଏମ ବିଶ୍ଵବିଦ୍ୟାଳୟର କୁଳପତି ହେବା ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପଦ ପଦବିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି ।

ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆରର ବିଭାଗୀୟ ମୁଖ୍ୟ, ସିନେଟ୍‌ ସଦସ୍ୟ ଓ ଏକାଡେମିକ କାଉନସିଲ୍‌ର ସଦସ୍ୟ ଭାବେ ୪ ବର୍ଷ ଲେଖାଏଁ ସୁଚାରୁରୂପ ଦାୟିତ୍ବ ନିର୍ବାହ କରିଛନ୍ତି। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌କୁ ୩ ଥର ମନୋନୀତ ହୋଇଥିଲେ । ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ରିସର୍ଚ୍ଚ କମିଟି ସଦସ୍ୟ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କଲେଜ ଡେଭଲପ୍‌ମେଣ୍ଟ କାଉନସିଲର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ କରି ସିବିସିଏସ୍‌ ଲାଗୁ କରାଯାଇଥିଲା। ଏହି ସମୟ ମଧ୍ୟରେ କଲେଜ ଶିକ୍ଷକଙ୍କ ଲାଗି ୪ଟି ତାଲିମ କାର୍ଯ୍ୟକ୍ରମ, ୨୦୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ରୁରାଲ କ୍ୟାମ୍ପସ ଲାଗି ଯାଜପୁରର ସିଆଠାରେ ଜମି ଚିହ୍ନଟ ହୋଇଥିଲା ।