ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଆହୁରି ୩ ଦିନ ରାଜ୍ୟରେ କଲବଲ କରିବ ଶୀତ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ଆକଳନ କରିଛି ପାଣିପାଗ ବିଭାଗ । ଖାଲି ଶୀତ ନୁହେଁ, କୁହୁଡି ବି କଲବଲ କରୁଛି । ସକାଳ ଏବଂ ସନ୍ଧ୍ୟା ସମୟରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି । ତେଣୁ ଗାଡି ଚାଳକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

ଗତ ୨ଦିନ ହେବ ଶୀତ ସାମାନ୍ୟ କମ୍ ଥିବାବେଳେ ମଙ୍ଗଳବାରଠାରୁ ଶୀତ ପ୍ରକୋପ ପୁଣି ବୃଦ୍ଧି ପାଇଛି। ଆଗାମୀ ୪ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ୪ଦିନରେ ରାତି ତାପମାତ୍ରା ୧ରୁ ୨ଡିଗ୍ରୀ ହ୍ରାସ ପାଇବା ସହିତ ଅଧିକ ଥଣ୍ଡା ଅନୁଭୂତ ହେବ। ଏହାପରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଆଗାମୀ ୩ଦିନ ଅର୍ଥାତ୍ ଶୁକ୍ରବାର ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, କଟକ, ଜଗତ୍ସିଂହପୁର ଏବଂ କୋରାପୁଟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ଅପରପକ୍ଷେ ଝାରସୁଗୁଡ଼ାରେ ତାପମାତ୍ରା ୭୨ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ଏଠାରେ ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରୀ ସେଲ୍ସିୟସ ରହିଥିବାବେଳେ ସ୍ବାଭାବିକ ତାପମାତ୍ରାଠାରୁ ୬.୭ ଡିଗ୍ରୀ କମ୍ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।୧୯୫୩ ମସିହାରୁ ଏପର୍ଯ୍ୟନ୍ତ ଝାରସୁଗୁଡାରେ ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି । ଝାରସୁଗୁଡା ସମେତ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।