ଏଫ୍ଏମ୍ ମହାବିଦ୍ୟାଳୟ ଘଟଣା: ଏମ୍ସ ଯାଇ ପୀଡିତାଙ୍କ ଅବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ବର ଏଫ୍ଏମ୍ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଏମ୍ସ ଯାଇ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ସହ ଆଲୋଚନା କରିବା ସହ ଚିକିତ୍ସା ବ୍ୟବସ୍ଥାର ମନିଟରିଂ ପାଇଁ ଗଠନ ହୋଇଥିବା ୮ ଜଣିଆ ବିଶେଷଜ୍ଞ ଟିମ୍‌ ସହ ବି କଥାବାର୍ତ୍ତା ହୋଇଛନ୍ତି । ଏଫଏମ୍ କଲେଜ ଛାତ୍ରୀଙ୍କ ପରିସ୍ଥିତି ଜଟିଳ । ତାଙ୍କ ଚିକିତ୍ସା ଚାଲିଛି । ଦିଲ୍ଲୀ ଏମ୍ସ ଭଳି ଚିକିତ୍ସା କରାଯାଉଛି । ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଗୁରୁତର ଏବଂ ଏହାର ସମସ୍ତ ଦିଗକୁ ନିଷ୍ଠାର ସହ ତଦନ୍ତ କରାଯିବ। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କମିଟି ଗଢ଼ା ଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ସରକାର ଯତ୍ନବାନ ହେଉଛନ୍ତି । କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ରାଗିଙ୍ଗ, ଯୌନ ନିର୍ଯାତନା ନ ଘଟିବ ସେ ନେଇ ଆଗୁଆ ପଦକ୍ଷେପ ନେବାକୁ ସରକାର ନିଷ୍ପତି ନେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

କହିରଖୁଛୁ ଯେ, ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚାଲିଛି ଚିକିତ୍ସା । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଛାତ୍ରୀ ଜଣକ ଅତି ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି । ଜୀବନ ମରଣ ସହ ଲଢୁଛନ୍ତି ପୀଡିତା । ଆସନ୍ତା ୨୪ ଘଣ୍ଟା ବହୁତ ଗୁରୁତ୍ବପୁର୍ଣ୍ଣ ଥିବା ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି ।