ଭୁବନେଶ୍ୱର: ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟର ହେବ ନବକଳେବର । ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ବୈଷୟିକ ଶିକ୍ଷା କ୍ଷେତ୍ରରେ ରୂପାନ୍ତର ଆସିବ । ତିନି ବର୍ଷରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟି ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା। କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । ଆଇଆଇଏମ୍, ଆଇଆଇଟି ଓ ଏନଆଇଟି ଭଳି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ ।
ଆଜି ଓୟୁଟିଆରର ବିକାଶ ସଂପର୍କିତ ମାଷ୍ଟର ପ୍ଲାନକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଓୟୁଟିଆରରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ ଆଇଆଇଟି ଢାଞ୍ଚାରେ ବିକାଶ କରାଯିବ ।ବର୍ତ୍ତମାନ OUTRରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ IIT ଢାଞ୍ଚାରେ ବିକାଶ କରାଯିବ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OUTRର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବିଶ୍ବବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଓୟୁଟିଆରର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ । ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବୈଠକରେ ଓୟୁଟିଆରର ଓଏସଡି ଡଃ ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହିତ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, OUTR (CET) ପରିଦର୍ଶନ କରି ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠାନର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।