ଫେଲ୍ ହେବ ଆନ୍ଧ୍ର ରାଜନୀତି: କୋଟିଆରେ ମୁଖ୍ୟ ଶାସନ ସଚିବଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ

କୋରାପୁଟ: ଆଜି ମାଲକାନଗିରି ଓ ଜୟପୁର ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ। କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାମ ତଦାରଖ କରିବେ ମୁଖ୍ୟ ଶାସନ ସଚିବ । ୩ ଦିନିଆ ଅବିଭକ୍ତ କୋରାପୁଟ ଗସ୍ତର ଆଜି ଶେଷ ଦିନ । କୋଟିଆ ସହିତ ଦେଓମାଳି ଓ କୋରାପୁଟ ମେଡିକାଲ କଲେଜ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗତକାଲି ମାନକାନଗିରିର ସ୍ୱାଭିମାନ ଅଞ୍ଚଳରେ ସେ ସମୀକ୍ଷା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ସଡ଼କ ନିର୍ମାଣ, ଚାଷୀଙ୍କ ରୋଜଗାର ବୃଦ୍ଧି, ବିକଳ୍ପ ରୋଜଗାର ପନ୍ଥା, ଶିକ୍ଷା, ଜଳସେଚନ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, ଟେଲିକମ ସେବା, ବିଦ୍ୟୁତ ସଂଯୋଗ ଆଦି ସବୁ ପ୍ରକାର ବିକାଶମୂଳକ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହୋଇପାରିବ ସେନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା କୋଟିଆରେ ନିର୍ମିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ସେସନରୁ ସେଠାରେ ସିବିଏସଇ ଢାଞ୍ଚାର ଇଂରାଜୀ ମିଡିୟମ ଆରମ୍ଭ ହେବ ବୋଲି ଗତକାଲି ଜୟପୁର ଗସ୍ତରେ କହିଥିଲେ ମୁଖ୍ୟ ଶାସନ ସଚିବ । ଶୁକ୍ରବାର ମୁଖ୍ୟ ଶାସନ ସଚିବ ମାଲକାନଗିରି ଗସ୍ତ ଶେଷ କରି ଜୟପୁର ଯାଇଥିଲେ । ସେ ଜୟପୁର ସହରର ଲାଇଫ୍ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗରର ଭିତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଇଥିଲେ । ଏଥିସହ ଜୟପୁର ଏୟାରଷ୍ଟ୍ରିପ ଭିତିଭୂମିର ସମୀକ୍ଷା କରିଥିଲେ । ଆଗାମୀ ଦିନରେ କିପରି ଜୟପୁରରୁ ଭୁବନେଶ୍ୱରକୁ ଶୀଘ୍ର ବିମାନ ସେବା ଆରମ୍ଭ ରାଜ୍ୟ ସରକାରଙ୍କ ଫୋକସରେ ଥିବା କହିଥିଲେ ମୁଖ୍ୟ ସଚିବ । ତେବେ ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ପରେ ଫେଲ୍ ହେବ କୋଟିଆରେ ଆନ୍ଧ୍ର ରାଜନୀତି ।