ଭୁବନେଶ୍ଵର: ମହାନଦୀ ଜଳ ବିବାଦ ଦୂର ପାଇଁ ଆଗକୁ ବଢ଼ିଲେ ଓଡ଼ିଶା ଓ ଛତିଶଗଡ଼। ଏ ନେଇ ଦୁଇ ରାଜ୍ୟ ମୁଖ୍ୟ ସଚିବ ଓ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକ କରିଛନ୍ତି। ଆଲୋଚନା ଏବଂ ସହଯୋଗ ମାଧ୍ୟମରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଭୟ ରାଜ୍ୟ ଆନ୍ତରିକ ଏବଂ ସୌହାର୍ଦ୍ଦପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଏପରିକି ଡିସେମ୍ବରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି।
ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଚିହ୍ନଟ ଏବଂ ସମାଧାନ କରିବା ପାଇଁ ଉଭୟ ରାଜ୍ୟର EIC ଙ୍କ ନେତୃତ୍ୱରେ ବୈଷୟିକ କମିଟିଗୁଡ଼ିକ ସେପ୍ଟେମ୍ବରରେ ସପ୍ତାହିକ ବୈଠକ କରିବେ ବୋଲି ସହମତ ହୋଇଥିଲା । କମିଟିଗୁଡ଼ିକ ମହାନଦୀ ଜଳ ବଣ୍ଟନ ଉପରେ ଦୃଢ଼ ସମନ୍ୱୟ ପାଇଁ ଏକ ସାଂସ୍ଥାଗତ ଢାଞ୍ଚା ସୃଷ୍ଟି କରିବା ଉପରେ ମଧ୍ୟ ଆଲୋଚନା କରିବେ । ତେବେ ଅକ୍ଟୋବର ମାସରେ ବସିବ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ । କଥାବାର୍ତ୍ତା କେତେ ବାଟ ଆଗେଇଛି, ସେନେଇ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ଅଧିକାରୀ ବସି ଆଲୋଚନା କରିବେ । ଡିସେମ୍ବର ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରିବେ ।