ଭୁବନେଶ୍ଵର: ଗତକାଲି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ କ୍ୟାବିନେଟର ୨୬ତମ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଅନୁଷ୍ଠିତ ଏହି ବୈଠକରେ ୫ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ ମିଳିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କ୍ୟାବିନେଟ ବୈଠକରେ ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ । ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗୋଟିଏ ଲେଖାଏଁ ଏହିପରି ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଗତ ସହ ସମସ୍ତ ପ୍ରସ୍ତାବଗୁଡିକ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି ।
ଭୁବନେଶ୍ୱର ପାଇଁ ନୂଆ ସହର ଉନ୍ନୟନ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ବିଡିଏ-ଏସଜେଆଇ ମିଳିତ ଭାବେ ନ୍ୟୁସିଟି ବିକଶିତ କରିବେ । ୧୫ ବର୍ଷରେ ଛିଡା ହେବ ସଂପୂର୍ଣ୍ଣ ନ୍ୟୁସିଟି । ପ୍ରକଳ୍ପ ପାଇଁ ୧୫ ବର୍ଷରେ ୮,୧୭୯ କୋଟି ଖର୍ଚ୍ଚ କରିବ BDA । ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ୮ଶହ ଏକର ଜମିରେ ହେବ ନ୍ୟୁସିଟି । କ୍ୟାବିନେଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ୧୧୮ କୋଟି ୯୮ ଲକ୍ଷ ଟଙ୍କାରେ ୪୨୭ ଆମ୍ବୁଲାନ୍ସ କ୍ରୟକୁ ମଞ୍ଜୁରୀ ମିଳିଛି । ସେହିପରି ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଏବଂ ଫେରସ୍ତ ନିୟମାବଳୀ ପ୍ରଣୟନ ଉପରେ ବାଜିଛି କ୍ୟାବିନେଟ୍ ମୋହର । ST,SC ଓ ଭିନ୍ନକ୍ଷମଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଦେବେ ପରୀକ୍ଷା ଫିସ୍ । ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟାମବଳୀର ସଂଶୋଧନ ହୋଇଛି । ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବଢ଼ିଲା BDOଙ୍କ ଆର୍ଥିକ କ୍ଷମତା । ମୋଟର ଯାନ ଅଧିନିୟମରେ ଚାଲାଣ ଏକକାଳୀନ ସମାଧାନକୁ ଗୁରୁତ୍ବ । ବିଭିନ୍ନ କୋର୍ଟକୁ ପଠାଯାଇଥିବା ଚାଲାଣର ଫଇସଲା ପାଇଁ ହେବ କମିଟି । ବକେୟା ଜୋରିମାନା ଦୃଢ଼ତାର ସହ ଆଦାୟ ଉପରେ ଗୁରୁତ୍ବ । ସେହିପରି ୪୨୮ଟି ନୂଆ ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର ।