କମିବ କି ବିଧାୟକଙ୍କ ଦରମା, ଦରମା ବୃଦ୍ଧି ନେଇ ହେବ ପୁନର୍ବିଚାର

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଏବେ ଏହା ଉପରେ ପୁନର୍ବିଚାର କରିବାକୁ ଦାବି ଜୋର ଧରିଛି। ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଜନସାଧାରଣଙ୍କ ଭାବନାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନବିର୍ଚାର ପାଇଁ ପ୍ରସ୍ତାବ ଲିଖିତ ଭାବେ ପ୍ରସ୍ତାବ ଦେଇଛନ୍ତି ସମସ୍ତ ବିଜେପି ବିଧାୟକ। ତେବେ ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ। ବୈଠକରେ ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ଆଲୋଚନା ହୋଇଛି।