ଭୁବନେଶ୍ଵର: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା । ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ନେତା ଓ କର୍ମୀ । ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ପ୍ରତିବାଦ ସାରା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ସେପଟେ କଂଗ୍ରେସର ବନ୍ଦ ପାଳନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଟ୍ବିନ୍ ସିଟିର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ବିଧାନସଭା ଅଞ୍ଚଳରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ସହ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିଛି ପୋଲିସ । ବନ୍ଦ ପାଳନ ବେଳେ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ସବୁ କିଛି ବନ୍ଦ ରଖିବାକୁ ଆହ୍ବାନ ଦେଇଛି କଂଗ୍ରେସ । FM ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଫଳରେ ଭୁବନେଶ୍ୱରରେ ବନ୍ଦ ଡାକରାକୁ ଅଧିକ ଜୋର ଦେଇଛି ଜାତୀୟ କଂଗ୍ରେସ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇଛି । ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍ । ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହୋଇଛନ୍ତି ପୋଲିସ । ସାଦା ପୋଷାକରେ ପୋଲିସ ବି ମୁତୟନ ହୋଇଛନ୍ତି । ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନିଟର କରୁଛନ୍ତି । ତେବେ ଓଡ଼ିଶା ବନ୍ଦ ଡାକରାରେ କଂଗ୍ରେସ ସମେତ ସାମିଲ ହୋଇଛନ୍ତି ୮ ବିରୋଧୀ ଦଳ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ ।