(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ପାଇଁ ହେଲା କାଳ । ଲକଡାଉନ ସମୟରେ ଘରକୁ ନ ଫେରି ପାରିବାରୁ ଜଣେ ଓଡିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁର । ତାଙ୍କ ନାଁ ଗଙ୍ଗାଧର ବିଶ୍ୱାଳ । ଗଙ୍ଗାଧର ହରିୟାଣାର ଯମୁନାନଗରରେ ରହି ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରୁଥିଲେ। କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍ଡାଉନ୍ ଜାରି ହେବା ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା । ଏହାପରେ ଘରକୁ ଫେରିବାକୁ ସେ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ । ଉପାୟଶୂନ୍ୟ ହୋଇ ଗଙ୍ଗାଧର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଏନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ । ଏହି ଭିଡିଓରେ କମ୍ପାନୀ ମାଲିକ ଓ ରାଜ୍ୟ ସରକାର ସାହାଯ୍ୟ କରୁ ନ ଥିବା ସେ ଅଭିଯୋଗ କରିଥିଲେ । ଯଦି ସାହାଯ୍ୟ ନ ମିଳେ ସେ ଆତ୍ମହତ୍ୟା କରିବେ ବୋଲି ଭିଡିଓରେ କହିଥିଲେ। ତେବେ ଗଛରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଯାହାକୁ ନେଇ ଏବେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।