ଭୁବନେଶ୍ୱର: କମେଡିଆନ୍ ଗୁଲୁଆଙ୍କ ଚାଞ୍ଚଲ୍ୟକର ଅଭିଯୋଗ। ‘ମୋ ଜୀବନ ପ୍ରତି ବିପଦ ଅଛି’ । ସୋସିଆଲ ମିଡିଆରେ ଭିଡିଓ କରି ସୁରକ୍ଷା ମାଗିଲେ କମେଡିଆନ ଆଶିଷ କୁମାର ଦାସ(ଗୁଲୁଆ) । ଓଡ଼ିଶାର ଜଣାଶୁଣା ୟୁଟ୍ୟୁବର ତଥା କମେଡିଆନ ମିଷ୍ଟର ଗୁଲୁଆ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କୁ ବ୍ଲାକମେଲିଂ କରାଯାଉଥିବାର ସେ ଅଭିଯୋଗ କରିଛନ୍ତି। ଏ ନେଇ ଗୁଲୁଆ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ତାଙ୍କୁ କେହି କୋଟିଏ ଟଙ୍କା ମାଗୁଥିବା ସଂପର୍କରେ ଏକ ଭିଡିଓ ମାଧ୍ୟମରେ ସେ କହିଛନ୍ତି । ଟଙ୍କା ନ ଦେଲେ ସୋସିଆଲ ମିଡିଆରେ ବଦନାମ କରିବା ସହ ହାତଗୋଡ ଭାଙ୍ଗିଦେବେ ବୋଲି ଧମକ ମିଳୁଥିବା ଗୁଲୁଆ କହିଛନ୍ତି ।

ସେପଟେ ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା ୟୁଟ୍ୟୁବର ବର୍ଷା ସାହୁ ମୁହଁ ଖୋଛନ୍ତି। ସେ କହିଛନ୍ତି, ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା। କିନ୍ତୁ ତାଙ୍କ ପରକୀୟା ପ୍ରୀତି ଯୋଗୁ ଧୀରେ ଧୀରେ ଆମ ସମ୍ପର୍କ ଖରାପ ହୋଇଥିଲା। ଗୁଲୁଆ ମୋତେ ବାଡ଼େଇକି ଘରୁ ବାହାର କରିଦେଇଥିଲେ। ମୋ ପାଖରେ ମେଡିକାଲ ରିପୋର୍ଟ ଅଛି। ତାଙ୍କ ଫ୍ୟାମିଲି ମୋତେ ଟଚର୍ର୍ କରିଛନ୍ତି। ମୁଁ ବର୍ଷେ ହେଲା ଚୁପ୍ ଥିଲି। ମୁଁ ତାଙ୍କ ସ୍ତ୍ରୀ, କିନ୍ତୁ ମୋତେ ପଚାରୁନାହାନ୍ତି। ଅନ୍ୟ ଝିଅଙ୍କ ସହ ବହୁତ ଜାଗାରେ ସମୟ ବିତାଉଛନ୍ତି। ମନାଲିରେ ମଧ୍ୟ ଝିଅଙ୍କୁ ନେଇ ସମୟ ବିତାଉଥିଲେ। ଗୁଲୁଆ ଯେତେ ଝିଅଙ୍କ ସହ ସଂପର୍କରେ ଅଛନ୍ତି ସମସ୍ତଙ୍କ ଭିଡିଓ ମୋ ପାଖରେ ଅଛି। ତାଙ୍କ ସବୁ କଳାଚିଠା ମୋ ହାତରେ। ମୁଁ ଏସବୁ କୋର୍ଟରେ ଉପସ୍ଥାପନ କରିବି ବୋଲି କହିଛନ୍ତି ୟୁଟ୍ୟୁବରଙ୍କ ସ୍ତ୍ରୀ ।