ଗିରଫ ହେଲେ ଜଗା ପ୍ରଧାନ, ଆନ୍ଦୋଳନରୁ ଓହରିଲା OAS ସଂଘ

0

ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବିରେ ସମୁହ ଛୁଟିରେ ଯାଇଥିଲା ଓଏଏସ ସଂଘ । ମାତ୍ର ଗତକାଲି ବିଳମ୍ବିତ ରାତିରେ ଜଗା ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଛନ୍ତି OAS ସଂଘ । ଆଜିଠାରୁ କାମରେ ଯୋଗ ଦେବେ OAS ଅଧିକାରୀ । ଏନେଇ ସୂଚନା ଦେଇଛନ୍ତି OAS ସଂଘ ସଭାପତି ଜ୍ୟୋତିରଞ୍ଜନ ମିଶ୍ର ।

ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗତ ୩ ଦିନ ହେଲା ଆନ୍ଦୋଳନ କରୁଥିଲା ସଂଘ । ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଡ଼ି ବସିଥିଲା । ରାଜ୍ୟ ସରକାରଙ୍କ ଉପରେ ଭରସା ଅଛି ବୋଲି କହିଥିଲା ସଂଘ । ତେବେ ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି ସଂଘ । ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ସମସ୍ତ କର୍ମଚାରୀ । ଗତକାଲି ରାତିରୁ ହିଁ ସଂଘ କାର୍ଯ୍ୟରେ ଯୋଗ ଦେଇଥିବା ଘୋଷଣା କରିଛି ଓଏଏସ୍ ସଂଘ। ଆଜିଠୁ ପୂର୍ବ ଭଳି ରାଜ୍ୟର ସମସ୍ତ ସଂଘର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି ।

ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ଯ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ବିଚଳିତ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଏହି ଘଟଣାରେ କମିଶନରେଟ୍ ପୋଲିସ ପ୍ରଥମେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଗତକାଲି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି ।