କଟକ: କୁଖ୍ୟାତ ଅପରାଧୀ ରାଜା ସାହାଣୀଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି କର୍ଣ୍ଣାଟକ ପୋଲିସ। Choudwar Jailରୁ ତାଙ୍କୁ ରିମାଣ୍ଡରେ ନେଇ Bengaluruରେ ଘଟିଥିବା ୨୦ କୋଟି ଟଙ୍କାର ଅଳଙ୍କାର ଲୁଟ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
Karnataka Police ପକ୍ଷରୁ ଏହି ହାଇ-ପ୍ରୋଫାଇଲ୍ ମାମଲାରେ ତନାଘନା କରାଯାଉଛି। ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପୋଲିସ ଟିମ୍ ତାଙ୍କୁ ପଚରାଉଚରା କରିବ। କିପରି ଏତେ ବଡ଼ ମାପର ଅଳଙ୍କାର ଲୁଟ ହୋଇଥିଲା ଏବଂ ଏଥିରେ ଆଉ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ଗଭୀର ତଦନ୍ତ ଚାଲିବ।
୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ JMFC Court, Cuttack। କର୍ଣ୍ଣାଟକ ପୋଲିସ ଦାଖଲ କରିଥିବା ଆବେଦନକୁ ମଞ୍ଜୁର କରାଯାଇବା ପରେ ରାଜା ସାହାଣୀଙ୍କୁ ରିମାଣ୍ଡରେ ନିଆଯାଇଛି।
ଉଲ୍ଲେଖନୀୟ ଯେ, ଚୌଦ୍ୱାର ଜେଲରୁ ଫେରାର ହୋଇଥିବା ଦ୍ୱିତୀୟ କଏଦୀ ରାଜା ସାହାଣୀଙ୍କୁ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରାଯାଇଥିଲା। Cuttack Commissionerate Policeର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଥିଲା। ରାଜା ସାହାଣୀ ବିହାରର ବାସିନ୍ଦା ବୋଲି ଜଣାପଡ଼ିଛି।
ଏହା ପୂର୍ବରୁ ଏହି ଘଟଣାରେ ଜଡିତ ଅନ୍ୟ ଜଣେ କଏଦୀ ମଧୁକାନ୍ତ ରାଣାଙ୍କୁ ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା। ଗତ ଦଶହରା ସମୟରେ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ, ଯାହା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
ଏବେ ରିମାଣ୍ଡ ସମୟରେ ମିଳୁଥିବା ତଥ୍ୟ ଏହି ବହୁଚର୍ଚ୍ଚିତ ଲୁଟ ମାମଲାରେ ନୂତନ ମୋଡ଼ ଆଣିପାରେ ବୋଲି ଅନୁମାନ କରାଯାଉଛି।