ନୂଆଦିଲ୍ଲୀ: ଅର୍ଥର ଅଭାବ ଥିଲେ ଏଣିକି ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ମଞ୍ଜୁରୀ ଦେଇଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ରହିବ ନାହିଁ ।
ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାର ଉଦ୍ଦେଶ୍ୟ ଗତ ଦଶନ୍ଧିର ପ୍ରୟାସକୁ ଆହୁରି ବିସ୍ତାର କରି ଯୁବ ପିଢିଙ୍କ ନିକଟରେ ଗୁଣାତ୍ମକ ଉଚ୍ଚ ଶିକ୍ଷା ପହଞ୍ଚାଇବା । ଏହି ଯୋଜନାରେ ବିନା କୌଣସି ଗ୍ୟାରେଣ୍ଟିରେ ଶିକ୍ଷା ଲୋନ ମିଳିବ । ଭାରତ ସରକାର ୭.୫ ଲକ୍ଷ ଟଙ୍କା ଯାଏ ଲୋନ୍ ଆମାଉଣ୍ଟ ପାଇଁ ୭୫ ପ୍ରତିଶତ କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବେ । ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଯାଏ ଲୋନ ଉପରେ ୩ ପ୍ରତିଶତ ସୁଧ ଲାଗିବ । ତେବେ ବାର୍ଷିକ ୮ ଲକ୍ଷ ଟଙ୍କା ଆୟ ଥିବା ପରିବାରର ଛାତ୍ରଛାତ୍ରୀ ଏଥିପାଇଁ ଯୋଗ୍ୟ ହେବ । ଏହା ବାର୍ଷିକ ୪.୫ ଲକ୍ଷ ଟଙ୍କା ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ଉପଲବ୍ଧ ବର୍ତ୍ତମାନର ସୁଧ ରିହାତିରୁ ଅତିରିକ୍ତ ରହିବ ।