ହୃଦଘାତର କାରଣ ସାଜିଛି କି କରୋନା ଟିକା, ICMRର ବଡ ଖୁଲାସା

ନୂଆଦିଲ୍ଲୀ: ଦେଶରେ ହୃଦଘାତରେ ଏବେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ଖବର ଆସୁଛି। କିନ୍ତୁ ଲୋକମାନେ ଏହାକୁ କରୋନା ଟିକା ସହିତ ସଂଯୋଗ କରୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ କରୋନା ଟିକା ଯୋଗୁଁ ଦେଶରେ ହୃଦଘାତ ମୃତ୍ୟୁ ସଂଖ୍ୟା ବଢୁଛି। କେତେକ ଲୋକ ଏହାକୁ ଏକ ଗୁଜବ ବୋଲି ଭାବୁଥିବାବେଳେ କେତେକ ଏହାକୁ ସତ ବୋଲି ଭାବନ୍ତି ।

କିନ୍ତୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ICMR ଏବଂ ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ NCDC ପକ୍ଷରୁ ପ୍ରକାଶିତ ରିପୋର୍ଟରେ ମୃତ୍ୟୁ ସଂପର୍କିତ ଅଭିଯୋଗକୁ ଖାରଜ କରାଯାଇଛି। କୋଭିଡ ଭ୍ୟାକସିନ କୋଭିସିଲ୍ଡରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଥିବା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିବା ପରେ ICMR କହିଛି ଯେ କୋଭିଡ୍ ଟିକା ଓ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ।

ଦେଶରେ ୧୮ ରୁ ୪୫ ବର୍ଷୀୟ ଯୁବପିଢ଼ି ହୃଦଘାଦର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଆଇସିଏମଆର ଓ ଏମ୍ସ ଗବେଷଣାରୁ ଜଣାପଡିଛି ଯେ ଜୀବନଶୈଳୀ ଏବଂ ପୂର୍ବ ସମସ୍ୟା ଯୋଗୁ ହୃଦଘାତରେ ଜୀବନ ଯାଉଛି । ୧୯ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୩ ମେ’ରୁ ଅଗଷ୍ଟ ମଧ୍ୟରେ କରାଯାଉଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ।

ଗତ କିଛି ବର୍ଷ ମଧ୍ୟରେ ହୃଦଘାତରେ ୪୦ ବର୍ଷ ବୟସ୍କ ସିଦ୍ଧାର୍ଥ ଶୁକ୍ଳା, ୫୩ ବର୍ଷ ବୟସ୍କ ଗାୟକ କେକେ, ୪୬ ବର୍ଷବୟସ୍କ ପୁନୀତ ରାଜକୁମାର, ୫୦ ବର୍ଷ ବୟସ୍କ ରାଜ କୌଶଳ ଓ ୫୮ ବର୍ଷ ବୟସ୍କ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଥିଲା। ୨୦୨୧ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ପ୍ରାଣ ହରାଇଥିବା କିଛି ସ୍ବାସ୍ଥ୍ୟବାନ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଗବେଷଣା  କରାଯାଇଥିଲା।