Bihar: ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ହେବେ ନୀତିଶ୍ କୁମାର । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ସେ ଇସ୍ତଫା ଦେବା ସହ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଥିଲେ ଏବଂ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିଥିଲେ। ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ, ନୀତିଶ କୁମାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ। ଏନଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀ ନୀତିଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପି ବିଧାୟକ ଦଳ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳର ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବରେ ନିର୍ବାଚିତ କରାଯାଇଥିଲା। ପୂର୍ବରୁ ନୀତିଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ମନୋନୀତ କରାଯାଇଥିଲା। ସୂତ୍ର ଅନୁସାରେ, ବାଚସ୍ପତି ପଦ ବିଜେପିକୁ ଯିବ।

ବୁଧବାର (୧୯ ନଭେମ୍ବର) ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ନୀତିଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ମନୋନୀତ କରାଯାଇଥିଲା। ନୀତିଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ଗୁରୁବାର (୨୦ ନଭେମ୍ବର) ପାଟନାର ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେଉଛି। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନୀତିଶ କୁମାର ମଙ୍ଗଳବାର (୧୮ ନଭେମ୍ବର) ବ୍ୟକ୍ତିଗତ ଭାବରେ ଗାନ୍ଧୀ ମଇଦାନ ଗସ୍ତ କରିଥିଲେ।