କଲବଲ କରୁଛି ଶୀତ, ପୁଣି ବଢ଼ିବ, ୪ ଦିନ ଯାଏଁ ପ୍ରବଳ ଜାଡ଼

ଭୁବନେଶ୍ଵର: ରାଜ୍ୟକୁ ପୁଣି ଫେରିଲା ଶୀତ । ଆଜି ଠାରୁ କ୍ରମାଗତ ଭାବରେ ତାପମାତ୍ରା ହ୍ରାସ ପାଇବ । ଯାହା ଫଳରେ ଶୀତ ବଢିବ । ବର୍ତମାନ ଓଡିଶା ଉପରେ ଏକ ପଶ୍ଚିମାଝଡ ପ୍ରଭାବ ରହଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ଏହାର ପ୍ରଭାବରେ ୩ ଦିନ ହେବ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜିଠାରୁ ଶୀତ ବଢିବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ତିନି ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ କମିପାରେ। ପରବର୍ତ୍ତୀ ତିନି ଦିନରେ ସର୍ବନିମ୍ନ ତାପମାତ୍ରା ପୁଣି ୨ ଡିଗ୍ରୀ ବଢ଼ିବ । ମକର ସଂକ୍ରାନ୍ତି ଯାଏ ଏହା ଅପରିବର୍ତ୍ତିତ ରହିପାରେ। ୧୦ ତାରିଖ ରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ। ୧୧ ତାରିଖରେ ଶୀତ ପୁଣି ଲେଉଟିବ।

ଆସନ୍ତା ଦୁଇ ଦିନ ଯାଏ ନୟାଗଡ଼, ଢେଙ୍କାନାଳ ଓ ଆଭ୍ୟନ୍ତର ଗଞ୍ଜାମରେ କୁହୁଡ଼ି ଦେଖା ଦେଇପାରେ। କିନ୍ତୁ ପ୍ରାୟ ୧୦ ଦିନ ଯାଏ ଭୁବନେଶ୍ୱର ଓ କଟକରେ କୁହୁଡ଼ି ଆଶଙ୍କା ନାହିଁ । ଆଜି ଫୁଲବାଣୀରେ ୮ ଡିଗ୍ରୀ, କୋରାପୁଟରେ ୯, ବୌଦ୍ଧ ଓ ଭବାନୀପାଟଣାରେ ୧୦, ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୧, କେନ୍ଦୁଝର, ଢେଙ୍କାନାଳ ଓ ମାଲକାନଗିରିରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ । ସେହିପରି ୮ ତାରିଖରେ ଅନୁଗୁଳ, ବୌଦ୍ଧ, ଫୁଲବାଣୀ, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଟିଟିଲାଗଡ଼ ଓ ବଲାଙ୍ଗୀରରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ଯାଜପୁର ଓ ନୟାଗଡ଼ରେ ଅତି ଘନ କୁହୁଡ଼ି ସହ ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ରେ ଘନ କୁହୁଡ଼ି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।