କର୍ଣ୍ଣାଟକ, କେରଳ ଏବଂ ବିହାରର ପିଏଫଆଇ ଠିକଣାରେ ଏନଆଇଏର ଚଢ଼ଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି ବୁଧବାର ଫୁଲୱାରିଶରିଫ ମାମଲାରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର କର୍ଣ୍ଣାଟକ, କେରଳ ଏବଂ ବିହାରର ପ୍ରାୟ ୨୫ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଆପତ୍ତିଜନକ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ଏନଆଇଏ ପାଣ୍ଠି ଯୋଗାଣ ଦିଗରୁ ତଦନ୍ତ କରୁଛି । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଅଞ୍ଚଳରେ ବି ଚଢ଼ାଉ ଜାରି ରହିଛି । ହିଂସାତ୍ମକ ଓ ବେଆଇନ କାର୍ୟ୍ୟକଳାପରେ ପିଏଫଆଇ ଏବଂ ଏହାର ନେତା ଓ କ୍ୟାଡରଙ୍କ ସମ୍ପୃକ୍ତି ଅଭିଯୋଗରେ ଏହି ଚଢଉ କରାଯାଉଛି । ରାଷ୍ଟ୍ରବିରୋଧୀ କାର୍ୟ୍ୟପାଇଁ ସେମାନେ ପାଟନାର ଫୁଲୱାରୀଶରିଫ ଅଞ୍ଚଳରେ ଯେଉଁ ସନ୍ଦିଗ୍ଧଙ୍କ ଘରେ ଏକାଠି ହୋଇଥିଲେ ସେଠାରେ ଏବେ ବି ଚଢ଼ାଉ ଜାରି ରହିଛି।
ଗତବର୍ଷ ଜୁଲାଇ ୧୨ ତାରିଖରେ ବିହାରର ପାଟନା ଜିଲ୍ଲାର ଫୁଲୱାରିଶରିଫ ଥାନାରେ ରୁଜୁ ହୋଇଥିବା ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯିବା ସହ ପିଏଫଆଇ ସହ ଜଡ଼ିତ ଅନେକ ଆପତ୍ତିଜନକ ସାମଗ୍ରୀ ଓ କାଗଜପତ୍ର ଜବତ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ଏନ୍ଆଇଏ ବିହାରର ମୋତିହାରୀର ୮ଟି ସ୍ଥାନରେ ଚଢ଼ାଉ କରି ହତ୍ୟାକାଣ୍ଡ ଘଟାଇବା ପାଇଁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବ୍ୟବସ୍ଥା କରିଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ମାମଲାରେ ଏନଆଇଏ ଏପର୍ୟ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଦେଇନାହିଁ ।