ସରକାରୀ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମ

ସରକାରୀ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମ, ଉପକୃତ ହେବେ ସଂରକ୍ଷିତ ବର୍ଗ । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ବା ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ଧରଣର ଆଇନଗତ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ‘ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ(ଶିକ୍ଷକ କ୍ୟାଡ଼ରରେ ସଂରକ୍ଷଣ) -୨୦୨୬’କୁ ଅଧ୍ୟାଦେଶ ମାଧ୍ୟମରେ ଲାଗୁ କରିଛନ୍ତି । ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି ଅଧ୍ୟାଦେଶକୁ ଜାନୁୟାରୀ ୨୯ତାରିଖରେ ମଞ୍ଜୁରୀ ଦେବାପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାନୁୟାରୀ ୩୦ରେ ଏହି ଅଧ୍ୟାଦେଶକୁ ବିଧିବଦ୍ଧ ଭାବେ ଗେଜେଟ୍ ବିଜ୍ଞପ୍ତି ଆକାରରେ ପ୍ରକାଶିତ କରାଯାଇଛି । ଏହି ନୂଆ ନିୟମ ଅନୁସାରେ, ଶିକ୍ଷକ ନିଯୁକ୍ତି ପାଇଁ ଏଣିକି ବିଶ୍ୱବିଦ୍ୟାଳୟକୁ ‘ଏକକ ୟୁନିଟ’ ଭାବେ ଗ୍ରହଣ କରି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବାର ପ୍ରାବଧାନ ରହିଛି। ଏହି ନୂଆ ଅଧ୍ୟାଦେଶ ଅନୁଯାୟୀ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ କ୍ୟାଡରରେ ହେବାକୁ ଥିବା ସିଧାସଳଖ ନିଯୁକ୍ତିରେ ଏଣିକି ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ଓ ଏସଇବିସି ବର୍ଗ ପାଇଁ ପଦବୀ ସଂରକ୍ଷିତ ରହିବ । ୧୯୭୫ ମସିହାର ଓଡ଼ିଶା ସଂରକ୍ଷଣ ଅଧିନିୟମ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଜାରି ହୋଇଥିବା ସରକାରୀ ସଂକଳ୍ପ ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳିତ ହେବ। ନିକଟରେ ନେଇ କ୍ୟାବିନେଟର ପାରିତ ହୋଇଥିଲା ପ୍ରସ୍ତାବ।