ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ, ଏହି ସବୁ ଜିନିଷର ଦର ହ୍ରାସ

ନୂଆଦିଲ୍ଲୀ: ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭେଟି । ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା । ୧୨% ଓ ୨୮% ଜିଏସ୍‌ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ । ଅଧିକାଂଶ ସାମଗ୍ରୀ ଶସ୍ତା, ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ ଟିକସ ।

ରାସନ ସାମଗ୍ରୀ ଏବଂ କ୍ଷୀର ଉତ୍ପାଦ ଠାରୁ ଆରମ୍ଭ କରି ଟିଭି, ଏସି, ଏବଂ କାର୍ ଏବଂ ବାଇକ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ପରିବର୍ତ୍ତନ ହୋଇ ପୂର୍ବାପେକ୍ଷା ଆଜିଠାରୁ ଶସ୍ତା ହେବ । ମଧ୍ୟମ ଆୟବର୍ଗର ଲୋକଙ୍କ ସଞ୍ଚୟକୁ ବଢ଼ାଇବ । ଯୁବବର୍ଗଙ୍କୁ ମଧ୍ୟ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର । ଅଧିକାଂଶ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବ। ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ, ବ୍ରସ୍‌, ପେଷ୍ଟ୍‌, ସ୍ବାସ୍ଥ୍ୟ ଓ ଜୀବନବୀମା ଭଳି ଅନେକ ସାମଗ୍ରୀ, ସେବା ଟିକସମୁକ୍ତ ହେବ କିମ୍ବା କେବଳ ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ପୂର୍ବରୁ ଯେଉଁସବୁ ସାମଗ୍ରୀ ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ୁଥିଲା ସେଥିରୁ ୯୯ ପ୍ରତିଶତ ସାମଗ୍ରୀକୁ ୫ ପ୍ରତିଶତ ଜିଏସ୍‌ଟିକୁ ଅଣାଯାଇଛି ।

ବର୍ତ୍ତମାନ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଲାଗୁ ହେଉଥିବା ୧୨% ଜିଏସଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ୍ଦ କରାଯାଇଛି । ଯେଉଁଥିରେ ୩ଟି କ୍ୟାନ୍ସର ଔଷଧ ମଧ୍ୟ ଅନ୍ତର୍ଭୁକ୍ତ । କହିରଖୂଛୁ ଯେ, ସେପ୍ଟେମ୍ବର ୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫୬ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଟିକସର ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରି ୫% ଓ ୧୮% ଦୁଇଟି ସ୍ଲାବ୍‌ ପ୍ରଚଳନ ପାଇଁ ସହମତି ପ୍ରକାଶ ପାଇଥିଲା। ଏହାବାଦ୍‌ ତମାଖୁ ଓ ସୌଖୀନ ସାମଗ୍ରୀଗୁଡ଼ିକ ଉପରେ ୪୦% ଜିଏସ୍‌ଟି ବସାଇବାକୁ ନିଷ୍ପତ୍ତି ହୋଇଥିଲା ।