ଭୁବନେଶ୍ୱର: ଶପଥ ନେଲେ ନବୀନଙ୍କ ନୂଆ ଟିମ । ପଞ୍ଚମପାଳିର ତୃତୀୟ ବର୍ଷ ପୂର୍ତ୍ତି ପରେ ନିଜ ମନ୍ତ୍ରୀ ମଣ୍ଡଳରେ ସବୁଠୁ ବଡ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ୧୧ ଟା ୪୫ମିନିଟ ସମୟରେ ରାଜ୍ୟପାଳ ଗଣେଶୀ ଲାଲ ଲୋକସେବା ଭବନରେ ପ୍ରଥମ ଥର ପାଇଁ ନୂଆ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ଜଗନ୍ନାଥ ସାରକା ଶପଥ ଗ୍ରହଣ କରିଥିଲେ। ପରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟଚାସୀ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
ସେହିଭଳି କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରାଷ୍ଟ୍ର ମନ୍ତ୍ରୀମାନେ ଶପଥ ନେଇଥିଲେ । ପ୍ରଥମେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଶପଥ ଗ୍ରହଣ ପରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଜଳେଶ୍ବର ବିଧାୟକ ଅଶ୍ବନୀ କୁମାର ପାତ୍ର, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ବିଜେପୁର ବିଧାୟିକା ରିତା ସାହୁ ଏବଂ କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।ରାଜ୍ୟ ମନ୍ତ୍ରୀମଣ୍ଡଳରେ ୨୫ ପ୍ରତିଶତ ମହିଳା ରହିଛନ୍ତି ।ସେହିଭଳି ପଶ୍ଚିମ ଓଡ଼ିଶାରୁ ସର୍ବାଧିକ ୭ ଜଣ ମନ୍ତ୍ରୀ ରହିଛନ୍ତି । ତେବେ ନବୀନଙ୍କ ନୂଆ ଟିମରେ ୭ଜଣ ନୂଆ ମନ୍ତ୍ରୀଙ୍କ ଚେହେରା ଦେଖିବାକୁ ମିଳିଛନ୍ତି ।ସେମାନେ ହେଲେ ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ବାସନ୍ତୀ ହେମ୍ବମ୍, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ରୀତା ସାହୁ ଓ ପ୍ରୀତିରଞ୍ଜନ ଘଡ଼ାଇ । ଅନ୍ୟପକ୍ଷେ ନୂଆ ମନ୍ତ୍ରୀମଣ୍ଡଳରେ ୯ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି । ସେହିଭଳି ନୂଆ ଟିମ୍କୁ ୫ ପୂର୍ବତନ ମନ୍ତ୍ରୀ ଫେରିଛନ୍ତି ।