ଭୁବନେଶ୍ଵର: ଆଜି ଅର୍ଥାତ ଜାନୁୟାରୀ ୧୨ ତାରିଖ ହେଉଛି ଜାତୀୟ ଯୁବ ଦିବସ । ଆମ ଦେଶ ପାଇଁ ଏହା ଏକ ମହତ୍ବପୂର୍ଣ ଦିବସ । ଜାତୀୟ ଯୁବ ଦିବସ ହେଉଛି ଭାରତର ଯୁବକ ଏବଂ ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । ୧୨ ଜାନୁଆରୀରେ ଭାରତୀୟ ଯୁବ ଦିବସ ପାଳନ କରିବାର ଏକ ବିଶେଷ କାରଣ ଅଛି । ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ହୋଇଥିଲା । ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରିବାର ତାତ୍ପର୍ଯ୍ୟ କଣ ରହିଛି ଆସନ୍ତୁ ଜାଣିବା ।
୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ବେବେକାନନ୍ଦ। ସବୁବେଳେ ସେ ଯୁବପିଢିଙ୍କ ପାଇଁ ପ୍ରେରଣା। ତାଙ୍କ ଆଦର୍ଶ ଚିରକାଳ ପାଇଁ ସମାଜରେ ଉଜ୍ଜୀବିତ ହୋଇ ରହିଛି । ସ୍ବାମୀ ବିବେକାନନ୍ଦ ୧୮୯୩ ମସିହାରେ ଚିକାଗୋରେ ସର୍ବପ୍ରଥମେ ଭାରତୀୟ ଧର୍ମ ଏବଂ ଆଧ୍ୟାତ୍ମିକତାର ପ୍ରଚାର କରିଥିଲେ । ସ୍ବାମୀ ବିବେକାନ୍ନଦଙ୍କ ପ୍ରକୃତ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ତାଙ୍କ ପିତା ବିଶ୍ବନାଥ ଦତ୍ତ ଏବଂ ସେ ପେସାରେ ଜଣେ ଓକିଲ ଥିଲେ । ତାଙ୍କ ମାଙ୍କ ନାମ ଥିଲା ଭୁବନେଶ୍ବରୀ ଦେବୀ । ହେଲେ ପିତାଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାର ଚଳାଇବା ଦାୟିତ୍ବ ତାଙ୍କ ମୁଣ୍ଡ ଉପରେ ଥିଲା । ବିବେକାନନ୍ଦ ଉନବିଂଶ ଶତାବ୍ଦୀର ରହସ୍ୟମୟ ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ ଥିଲେ। ପରିସ୍ଥିତି ଯୋଗୁଁ ଭଗବାନ ଅପେକ୍ଷା ସେ କର୍ମ ଓ ମାନବିକତାକୁ ମାନିବାକୁ ଲାଗିଥିଲେ । ୧୯୦୨ ଜୁଲାଇ ୪ ରେ ତାଙ୍କର ଦେହାନ୍ତ ହୋଇଥିଲା ।
୧୯୮୪ ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପରେ ୧୯୮୫ ମସିହା ଠାରୁ ପ୍ରକିବର୍ଷ ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ହିସାବରେ ପାଳନ କରାଯାଉଛି । ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ସ୍ମରଣ କରିବା ସହିତ ପ୍ରତ୍ୟେକ ଯୁବକଙ୍କୁ ଅନୁପ୍ରାଣିତ କରିବା ଏହି ଦିବସର ଲକ୍ଷ୍ୟ ଅଟେ । ସ୍ୱାମୀ ବିବେକାନନ୍ଦଙ୍କ ଶବ୍ଦ ଯୁବକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । କେବଳ ଭାରତରେ ନୁହେଁ ବିଶ୍ବର ଅନେକ ସ୍ଥାନରେ ମଧ୍ୟ ହିନ୍ଦୁ ଧର୍ମର ପୁର୍ନରଗଠନରେ ସ୍ୱାମୀ ବିବେକାନନ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।