ରାଇରଙ୍ଗପୁରଠାରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବିକାଶ ରଞ୍ଜନ ମହାନ୍ତିଙ୍କ, ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ, ବାମନଘାଟୀ ଉପଖଣ୍ଡର ବିଭିନ୍ନ ଗଣ ମାଧ୍ୟମ ପ୍ରତନିଧିମାନେ ଉପସ୍ଥିତ ଥିଲେ ।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଆଲୋଚନା ପାଇଁ ପ୍ରେସ୍ କାଉନସିଲ ଦ୍ୱାରା ପ୍ରଦତ୍ତ ଶୀର୍ଷକ “କୃତ୍ରିମ ମେଧା ଯୁଗରେରେ ଗଣମାଧ୍ୟମ” Media in the Era of Artificial Intelligence ” ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ତାଙ୍କ ଅଭିଭାଷଣରେ କହିଥିଲେ କି ସମାଜର ବିକାଶରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ପ୍ରାକୃତିକ ବିପର୍ୟୟ ସମୟରେ ହେଉ କିମ୍ବା କରୋନା ଭଳି ମହାମାରୀ ବିପତ୍ତି ସମୟରେ ହେଉ ବା କୌଣସି ଆନନ୍ଦ ଉଲ୍ଲାସ ମୁହୂର୍ତ୍ତରେ ହେଉ ଗଣମାଧ୍ୟମ ଅବିରତ ତାର ଭୂମିକାକୁ ଯଥା ଯଥ ନିର୍ବାହ କରିଥାଏ । ଗଣତନ୍ତ୍ରର ୪ଟି ସ୍ତମ୍ଭ ମଧ୍ୟରୁ ଚତୁର୍ଥ ସ୍ତମ୍ଭଟି ଅନ୍ୟ ୩ଟି ଅପେକ୍ଷା ଅଧିକ ସୁଦୃଢ । ସାମ୍ବାଦିକତାର ମୌଳିକ ନୀତି ହେଉଛି ଜନସାଧାରଣଙ୍କ ପାଖରେ ସତ୍ୟ, ବସ୍ତୁନିଷ୍ଟ ଓ ଉତ୍ତମ ମାନର ନିରପେକ୍ଷ ସମ୍ବାଦ ପହଂଚାଇବା । ସାମ୍ବାଦିକମାନେ ହେଲେ ରାଷ୍ଟ୍ରର ଜାଗ୍ରତ ପ୍ରହରୀ । ସେଇ ଦୃଷ୍ଟିରୁ ସାମ୍ବାଦିକମାନେ ଯଦି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ହୋଇ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଅନ୍ତି ଏବଂ ଭୁଲ ସମ୍ବାଦ ପରିବେଶଣ କରନ୍ତି ତେବେ ରାଷ୍ଟ୍ରର ପ୍ରଗତି ଅସମ୍ଭବ । ପ୍ରତିକୁଳ ପରିସ୍ଥିତିରେ ଜନ କଲ୍ୟାଣ ପାଇଁ ସାମ୍ବାଦିକ ସ୍ୱର ଉତ୍ତୋଳନ କରିଥାନ୍ତି ଯାହାର ସୁଫଳ ପରବର୍ତୀ ସମୟରେ ସାମଗ୍ରିକ ଭାବେ ଲୋକ ମାନେ ପାଇଥାନ୍ତି । ତେଣୁ ସତ୍ୟ, ନିରପେକ୍ଷ ଗଠନ ମୂଳକ ସମ୍ବାଦ ପରିବେଷଣ ସାମ୍ବାଦିକ ମାନଙ୍କ ଆଭିମୁଖ୍ୟ ହେବା ଉଚିତ । ଆଲୋଚ୍ୟ ବିଷୟ ଉପରେ ଆଲୋକପାତ କରି କହିଥିଲେ କି ଏକ ବିକାଶନ୍ମୁଖୀ ରାଷ୍ଟ୍ର ପାଇଁ ଗଣମାଧ୍ୟମ କ୍ଷେତ୍ରରେ କୁତ୍ରିମ ମେଧାର ଉପଯୋଗ ବିସ୍ତାରିତ ହେଲେ ଆଗାମୀ ଦିନରେ ଏହା ଗଣମାଧ୍ୟମ ଦୃଶ୍ୟ ପଟରେ ନିଶ୍ଚିତ ଭାବେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । କାରଣ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଗଣମାଧ୍ୟମ ପରିପୃଷ୍ଠ ହେବ ଏବଂ ଯୁଗୋପଯୋଗୀ ହୋଇ ଲୋକମାନଙ୍କ ପାଇଁ ଅଧିକ ଅସ୍ଥାଭାଜନ ହେବ ।
ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଗଣମାଧ୍ୟମ କ୍ଷେତ୍ରରେ କୁତ୍ରିମ ମେଧା ଉପଯୋଗର ଉଭୟ ଦିଗକୁ ବିଚାର କରି କୃତ୍ରିମ ମେଧା ଓ ପ୍ରାକୃତିକ ମେଧାର ସମନ୍ୱୟରେ ସମାଜର ହିତ ପାଇଁ ସଠିକ ସମ୍ବାଦ ପରିବେଷଣ ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ଏବଂ ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ନିକଟରେ ଅତୀତରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଜିର ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟର ନିକ୍ଷେପକ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଗ୍ରନ୍ଥାଗାରିକ ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ଓ ପିଅନ ସଂଗ୍ରାମ ବିଶ୍ୱାଳ ସହଯୋଗ କରିଥିଲେ ।