ଆଜି ନାଗାସିକ ଦିବସ: ୭୮ବର୍ଷ ତଳେ ମୃତ୍ୟୁ ତାଣ୍ଡବର ଭୟଙ୍କର ଚିତ୍ରକୁ ଦେଖିଥିଲା ପୂରା ବିଶ୍ୱ

ଭୁବନେଶ୍ୱର : ଆଜି ସମଗ୍ର ବିଶ୍ବରେ ନାଗାସିକ ଦିବସ ପାଳିତ ହେଉଛି । ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ଭୟଙ୍କର ପରିଣାମକୁ ସ୍ମରଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ । ୭୮ବର୍ଷ ତଳେ ମୃତ୍ୟୁ ତାଣ୍ଡବର ଭୟଙ୍କର ଚିତ୍ରକୁ ଦେଖିଥିଲା ପୂରା ବିଶ୍ବ । ପରମାଣୁ ବୋମାରେ ଥରି ଉଠିଥିଲା ହିରୋସିମା ଓ ନାଗାସାକି ସହର ।

ଦ୍ବିତୀୟ ବିଶ୍ବଯୁଦ୍ଧ ଅବସରରେ ୧୯୪୫ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ଲିଟିଲ ବୟ’ ନିକ୍ଷେପ କରିଥିଲା । ତାହା ସତ୍ତ୍ବେ ଜାପାନ ମିତ୍ର ଶକ୍ତି ପାଖରେ ଆତ୍ମସମର୍ପଣ ନ କରିବାରୁ ତିନି ଦିନ ପରେ ଜାପାନର ଅନ୍ୟତମ ଅଗ୍ରଣୀ ବନ୍ଦର ତଥା ଶିଳ୍ପସହର ନାଗାସାକି ଉପରେ ଆମେରିକା ଦ୍ବିତୀୟ ପରମାଣୁ ବୋମା ‘ଫ୍ୟାଟ ମ୍ୟାନ’ ନିକ୍ଷେପ କରିଥିଲା । ସେହି ବୋମା ବିସ୍ଫୋରଣର ତେଜସ୍କ୍ରିୟ ବିକିରଣ ଯୋଗୁ ୭୪,୦୦୦ରୁ ୮୦,୦୦୦ ନାଗରିକ ପ୍ରାଣ ହରାଇଥିଲେ । ଏହି ଭୟଙ୍କର ବିନାଶ ଦେଖି ଜାପାନ ଶେଷରେ ମୁଣ୍ଡ ନୁଆଁଇଥିଲା । ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷଲକ୍ଷ ଲୋକ ଦିବ୍ୟାଙ୍ଗ ପାଲଟିଥିଲେ ।

ଦୁଇ ସହର ଉପରେ ଆକ୍ରମଣରେ ପ୍ରାୟ ୩ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଅଗଷ୍ଟ ୧୫ ତାରିଖରେ ଜାପାନ ସର୍ତ୍ତହୀନ ଆତ୍ମସମର୍ପଣ ଘୋଷଣା କରିବା ପରେ ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ଘଟିଥିଲା । ନାଗାସାକି ଦିବସ ପରମାଣୁ ଅସ୍ତ୍ରଶସ୍ତ୍ରର ଧ୍ବଂସକାରୀ ପରିଣାମ ସମ୍ପର୍କରେ ମଣିଷକୁ ଚେତାଇଦେବା ସହିତ ବିନାଶକାରୀ ଅସ୍ତ୍ରଶସ୍ତ୍ରରୁ ବିଶ୍ବକୁ ମୁକ୍ତ ରଖିବା ଲାଗି ଆହ୍ବାନ ଦେଇଥାଏ ।