ଆସନ୍ତାକାଲି ନବଯୌବନ ରୂପ ଦର୍ଶନ କରିବେ ଶ୍ରଦ୍ଧାଳୁ
ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ରୂପ ଦର୍ଶନ କରିବେ ଶ୍ରଦ୍ଧାଳୁ ।
(ପୁରୀ) : ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ରୂପ ଦର୍ଶନ କରିବେ ଶ୍ରଦ୍ଧାଳୁ । ଜ୍ୱର ରୋଗମୁକ୍ତ ଶ୍ରୀବିଗ୍ରହ ଆସନ୍ତା ବୁଧବାର (୨୯ ତାରିଖ)ଭକ୍ତଙ୍କୁ ନବଯୌବନ ପ୍ରାପ୍ତି ପରେ ଦର୍ଶନ ଦେବେ । ନୀତି ନିର୍ଘଣ୍ଟ ମୁତାବକ ଭୋର ୬ଟାରୁ ଚକା ଅପସର ହେବ । ଏହା ପରେ ମହାପ୍ରଭୁଙ୍କୁ ନବଯୌବନରେ ଭକ୍ତ ଦର୍ଶନ କରିବେ । ଜଗମୋହନ ସ୍ଥିତ ଭିତର କାଠରୁ ଭକ୍ତ ଉଭୟ ଦର୍ଶନର ସୁଯୋଗ ପାଇବେ । ଏହା ପରେ ବାହାର କାଠରୁ ଭକ୍ତମାନେ ଦର୍ଶନ କରିବାକୁ ବ୍ୟବସ୍ଥା ହୋଇଛି ।
ପରିମାଣିକ ଓ ସାହାଣମେଲା ଦର୍ଶନ ପରେ ଧୂଆଧୋଇ ହୋଇ ଚୂନ ପଡ଼ିବ । ଦଇତାପତି ପ୍ରଭୁଙ୍କ ସର୍ବାଙ୍ଗ ଓ ବନ୍ଦାପନା ବଢ଼ାଇବା ପରେ ନେତ୍ରୋତ୍ସବ ବନ୍ଦାପନା ବିଧି ପାଳନ ହେବ । ଏହି ସମୟରେ ରୋଷହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ ସରି ଘଣ୍ଟଛତା ସର୍ବାଙ୍ଗ ବଢ଼ିବ । ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ହୋଇ ପ୍ରଭୁଙ୍କ ଗୋପାଳବଲ୍ଲଭ, ସକାଳ ଧୂପ ସମ୍ପନ୍ନ ହେବ । ଅପରାହ୍ନ ୪ଟା ୧୫ ମିନିଟରୁ ଭୋଗ ମଣ୍ଡପ ବସିବ, ତା ପରେ ମଇଲମ, ବେଶ ସରି ମଧ୍ୟାହ୍ନ ଧୂପ ସରି ଦ୍ୱିତୀୟ ଭୋଗ ମଣ୍ଡପ ଉଠିବ ।
ଦକ୍ଷିଣ ଘର ଭୋଗ ପରେ ମଇଲମ, ଦେଶ ଶେଷ, ସନ୍ଧ୍ୟା ଆଳତି ବଢ଼ି ରାତି ସାଢ଼େ ଦଶଟାରେ ସନ୍ଧ୍ୟାଧୂପ ବଢ଼ିବ । ଏହା ପରେ ମଇଲମ, ଚନ୍ଦନଲାଗି ହୋଇ ପ୍ରଭୁଙ୍କ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ସରି ପହୁଡ଼ ଆଳତି କରାଯିବ । ଏହା ପରେ ବନକଲାଗି ନିମନ୍ତେ ଦତ୍ତମହାପାତ୍ର ପ୍ରବେଶ କରିବାକୁ ନୀତି ନିର୍ଦ୍ଧାରଣ ହୋଇଛି ।