ହତ୍ୟା ନା ଆତ୍ମହତ୍ୟା: ମହୁଲ ଗଛରେ ଝୁଲୁଛି ଛାତ୍ରଙ୍କ ମୃତ ଶରୀର

(ଅନୁଗୁଳ/ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ପାଖ ଏକ ମହୁଲ ଗଛରେ ଜଣେ କଲେଜ ଛାତ୍ରଙ୍କ ଶବ ଝୁଲୁଛି। ଖବର ପାଇ ଛେଣ୍ଡିପଦା ପୁଲିସ ଝୁଲନ୍ତା ଅବସ୍ଥାରେ ଆଜି ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ର ଜଣକ ହେଲେ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ପ୍ରଥମବର୍ଷ ଛାତ୍ର ବିବେକାନନ୍ଦ ସାହୁ କୁହାଯାଇଛି ।ବିବେକାନନ୍ଦ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟାକରି ଗଛରେ ଝୁଲାଇ ଦେଇଛି କି ଏନେଇ ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ ପ୍ରକଟ କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଆଜି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପୁଲିସ ପକ୍ଷରୁ ଛାନଭିନ୍ନ ଜାରୀ ରହିଛି। ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସ ପଚରାଉଚୁରା ଚଳାଇଛି ।

ସୂଚନା ଅନୁଯାୟୀ , ଛେଣ୍ଡିପଦା ଥାନା ବରପଦା ଗ୍ରାମର ଡିଲେଶ୍ବର ସାହୁଙ୍କ ପୁଅ ବିବେକାନନ୍ଦ ସାହୁ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ପ୍ରଥମ ବର୍ଷ +୨ ଛାତ୍ର।ସେ ମହାବିଦ୍ୟାଳୟ ପାଖ ସାପୋଇସାହି ଛକ ଠାରେ ଥିବା ବାପୁଜି ଏକାଡେମି ନାମକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିଲେ । ଗୁରୁବାର ସକାଳେ ହଷ୍ଟେଲ ପଛ ପାଖ ଦୁଇଶହ ମିଟର ଦୂର ଏକ ମହୁଲ ଗଛରେ ବିବେକାନନ୍ଦଙ୍କ ମୃତ ଦେହ ଝୁଲୁଥିଲା ।

ଏହି ଦୃଶ୍ୟକୁ ସକାଳେ ମହୁଲ ଗୋଟାଳି ଦେଖି ହଷ୍ଟେଲର ମାଲିକଙ୍କୁ ସୂଚନା ଦେଇଥିଲେ ।ହଷ୍ଟେଲ ମାଲିକଙ୍କ ପକ୍ଷରୁ ଆଜି ଛେଣ୍ଡିପଦା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୁଅର ଝୁଲନ୍ତା ମୃତଦେହକୁ ଦେଖିବା ପରେ କେହି ବିବେକାନନ୍ଦଙ୍କୁ ମାରି ଝୁଲାଇ ଦେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଛେଣ୍ତିପଦା ପୁଲିସ ଘଟଣାସ୍ଥଳରେ ପହଁଚି ଅନୁସନ୍ଧାନ ଚଳାଇ ଥିବା ବେଳେ ବିବେକାନନ୍ଦଙ୍କ ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ପ୍ରକାଶ ।