ଭୁବନେଶ୍ୱର: ବିଏମସି ମହାନଗର ନିଗମ ନିର୍ବାଚନରେ ମତଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ତାଙ୍କ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ ୟୁନିଟ ୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧୬ ନମ୍ବର ବୁଥରେ ଭୋଟ ଦେଇଛନ୍ତି। ଏହା ବ୍ୟତୀତ ଏହି ବୁଥରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଛନ୍ତି ।
ତେବେ ଭୋଟ ଦେବା ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଗଣତନ୍ତ୍ରର ଏହି ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ। ତେବେ ମଧ୍ୟାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇସାରିଛି। ରାଜ୍ୟ ନିର୍ବାଚନ କମିସନ ଏନେଇ ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ସୁରୁଖୁରରେ ଚାଲିଛି ନିର୍ବାଚନ ପ୍ରକ୍ରିୟା ।ତେବେ କିଛି ସ୍ଥାନରେ ଇଭିଏମ ତ୍ରୁଟି କାରଣରୁ ଭୋଟର ସମସ୍ୟାର ସମ୍ମୁଖୀନ ହେଉଥିବା ସମୟରେ ଦିନ ବଢିବା ସହ ରାଜ୍ୟରେ ମତଦାନ ହାର ମଧ୍ୟ ବଢୁଛି । ମାତ୍ର ତିନି ମହାନଗର ନିଗମରେ ମତଦାନ ହାର କମ୍ ରହିଛି । ଇଭିଏମ୍ ସମସ୍ୟା ସମାଧାନ ପରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି ।