ବ୍ୟୁରୋ-: ଘରୋଇ ଗ୍ରାଉଣ୍ଡରେ ଚମକିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣର ୧୬ତମ ମ୍ୟାଚରେ ମୁମ୍ବାଇକୁ ୧୨ ରନରେ ପରାସ୍ତ କଲା ଏଲଏସଜି । ସନ୍ତୁଳିତ ବୋଲିଂ ଯୋଗୁ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିବାରେ ସଫଳ ହୋଇଛି ଲକ୍ଷ୍ନୌ । କାମ ଦେଲା ମିଚେଲ ମାର୍ଶ ଓ ଆଡେନ ମାର୍କମଙ୍କ ଧୂଆଁଧାର ଅର୍ଦ୍ଧଶତକ । ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା ୨୦୪ ରନର ବିଜୟ ଲକ୍ଷ୍ୟ । ମାତ୍ର ୧୯୧ ରନରେ ଅଟକିଲା ମୁମ୍ବାଇ। ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ୬୭ ରନ କରିଥିବା ବେଳେ ନମନ ଧିର କରିଥିଲେ ୪୬ ରନ । ପାଣ୍ଡ୍ୟାଙ୍କ ୫ ଓ୍ବିକେଟ ମଧ୍ୟ ବିଫଳ ହୋଇଛି ।
ଶୁକ୍ରବାର ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଲକ୍ଷ୍ନୌକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୨୦ ଓଭରରେ ଦଳ ୮ ଓ୍ବିକେଟ ହରାଇ ୨୦୩ ରନ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ହାର୍ଦ୍ଧିକ ପାଣ୍ଡ୍ୟା ଘାତକ ବୋଲିଂ କରିଥିଲେ । ସେ ଘାତକ ବୋଲିଂ କରି ଲକ୍ଷ୍ନୌ ବ୍ୟାଟରଙ୍କୁ ବେଶି ସମୟ ପଡିଆରେ ତିଷ୍ଠି ରହିବାକୁ ଦେଇନଥିଲେ । ସେ ୫ ଓ୍ବିକେଟ ନେଇଥିବା ବେଳେ ଏଥିରେ ରହିଛନ୍ତି ଆଡେନ ମାର୍କମ,ନିକୋଲାଶ ପୁରନ,ଋଷଭ ପନ୍ତ, ଡେଭିଡ ମିଲର ଓ ଆକାଶ ଦୀପ । ଦଳ ପକ୍ଷରୁ ମିଚେଲ ମାର୍ଶ ୬୦, ଆର୍କମ ୫ ଓ ଆୟୁସ ୩୦ ରନ କରିଥିଲେ । କ୍ୟାପଟେନ ଋଷଭ ପନ୍ତ ଦର୍ଶକଙ୍କୁ ନିରାଶ କରି ମାତ୍ର ୨ ରନରେ ଆଉଟ ହୋଇଥିଲେ ।
୨୦୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । କିନ୍ତୁ ଆରମ୍ଭରୁ ଝୁଣ୍ଟିଥିଲା ଦଳ । ଦଳୀୟ ସ୍କୋର ୧୭ ହୋଇଥିବା ବେଳେ ଦୁଇ ଓପନର ଆଉଟ ହୋଇଥିଲେ । ଓ୍ବିଲ ଜେକ୍ସଙ୍କୁ ୫ ରନରେ ଆଉଟ କରିଥିଲେ ଆକାଶ ଦୀପ । ପରେ ଓପନର ରିଆନ ରିକ୍ଲେଟନ ୧୦ ରନ କରି ପାଭିଲିୟନକୁ ଫେରିଥିଲେ । ଏହା ପରେ ନମନ ଧିର ଓ ସୂର୍ଯ୍ୟ କୁମାର ଯାଦବ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟଙ୍କ ପାର୍ଟନରସିପରେ ୬୯ରନ ହୋଇଥିଲା । ନମନ ୨୪ ବଲରେ ୪୬ ରନ କରିଥିବା ବେଳେ ୪ ଚଉକା ଓ ୩ ଛକା ମାରିଥିଲେ । ନମନକୁ ସ୍ପିନର ଦିଗଭେଶ ସିଂହ ରାଠି ବୋଲ୍ଡ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ୪୩ ବଲରେ ୬୭ ରନ କରିଥିଲେ । ଯେଉଁଥିରେ ୯ଟି ଚଉକା ଓ ୧ଟି ଛକା ସାମିଲ ରହିଛି । ସୂର୍ଯ୍ୟ କୁମାର ଆଉଟ ହେବା ପରେ ତିଲକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଦର୍ଶକ ଆଶା ରଖିଥିଲେ । କିନ୍ତୁ ଖେଳ ମଝିରେ ତିଲକ ଆହତ ହୋଇ ପାଭିଲିୟନକୁ ଫେରିଥିଲେ । ସେ ୨୪ ବଲରେ ୨୫ ରନ କରିଥିଲେ । ଓଭର ଶେଷ ପର୍ଯ୍ୟନ୍ତ ପାଣ୍ଡ୍ୟା ଓ ମିଚେଲ ସାଣ୍ଟନର ବ୍ୟାଟିଂ କରିଥିଲେ ମଧ୍ୟ ଲକ୍ଷ୍ନୌର ସନ୍ତୁଳିତ ବୋଲିଂ ଆଗରେ ଦଳକୁ ବିଜୟ ଦେଇ ପାରିନଥିଲେ । ଲକ୍ଷ୍ନୌର ସାର୍ଦ୍ଦୁଲ ଠାକୁର, ଆକାଶ ଦୀପ, ଅଭେଶ ଖାନ ଓ ଦୀଗଭେଶ ଗୋଟିଏ ଲେଖାଏ ଓ୍ବିକେଟ ନେଇଥିଲେ ।