କେନ୍ଦ୍ରାପଡା: ଭିତରକନିକା ଜଙ୍ଗଲରୁ ନିଖୋଜର ୫ ଦିନ ପରେ ମା’ ପୁଅ ଜୀବିତ ଉଦ୍ଧାର । କଙ୍କଡ଼ା ଆଣିବାକୁ ଯାଇ ୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ ଦୁହେଁ । ବନ ବିଭାଗର ୧୦ଟି ଟିମ୍ ଖୋଜାଖୋଜି ପରେ ମିଳିଲା ସନ୍ଧାନ । ସାତଭାୟା ଘାଟ ଠାରୁ ଅଳ୍ପ ଦୂରରେ ଠାବ ପରେ ଉଦ୍ଧାର ହୋଇଛନ୍ତି ମା’ ପୁଅ । ମା’ପୁଅ ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁର ।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁ’ର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା ଗତ ବୁଧବାର ଦିନ ଭିତରକନିକାକୁ କଙ୍କଡ଼ା ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଗାଁର ଅହଲ୍ୟା ମଣ୍ଡଳ ଏବଂ ତାଙ୍କ ପୁଅ ଚନ୍ଦ୍ର ମଧ୍ୟ ସେମାନଙ୍କ ସହିତ ଭିତରକନିକା ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ ବ୍ଲକ୍ ମଧ୍ୟକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ । ସନ୍ଧ୍ୟାରେ ଅହଲ୍ୟା ଓ ଚନ୍ଦ୍ର ଘରକୁ ଫେରିଆସିଥିଲା ବେଳେ ଅଞ୍ଜନା ଓ ତାଙ୍କ ପୁଅ ଫେରି ନ ଥିଲେ । ସେବେଠାରୁ ପରିବାର ଓ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି ଚଳାଇଥିଲେ । ଗତକାଲି ଏ ନେଇ ବନ ବିଭାଗ ଖବର ପାଇ ଆଜି ସକାଳୁ ୧୦ରୁ ଅଧିକ ବନ ବିଭାଗ କର୍ମଚାରୀ ନିଖୋଜ ମା’-ପୁଅଙ୍କୁ ଖୋଜାଖୋଜି କରିଥିଲେ । ଶେଷରେ ଅନେକ ଖୋଜାଖୋଜି ପରେ ସାତଭାୟା ଘାଟ ଠାରୁ ଅଳ୍ପ ଦୂରରୁ ଉଦ୍ଧାର ହୋଇଥିଲେ ମା’ ପୁଅ ।