ଗଞ୍ଜାମ-: ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଶିଶୁ କନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରି ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ କାଳିଆ ନାହାକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଅଶ୍ଳୀଳ ଭିଡିଓ ଦେଖିବା ପରେ ଶିଶୁକନ୍ୟାକୁ ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରି ହତ୍ୟା କରିଥିଲା ବୋଲି ପଚରାଉଚରା ସମୟରେ ସ୍ଵୀକାର କରିଛି । ମୃତକ ଶିଶୁ କନ୍ୟା ହେଲେ ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମର ଅଶୋକ ସ୍ବାଇଁଙ୍କ ଝିଅ ।
ସୂଚନାଯୋଗ୍ୟ, ୧୮ ତାରିଖରୁ ଚାଲିଥିବା ଯାତ୍ରା ଦେଖିବାକୁ ଶିଶୁକନ୍ୟା ଜଣକ ମା’ଙ୍କ ସହ ନିଜ ଗାଁ ମହାନଳାରୁ ଅଜା ଘର ଖଲିଙ୍ଗି ଗାଁକୁ ଆସିଥିଲେ । ଶୁକ୍ରବାର ଯାତ୍ରାର ଉଦ୍ଯାପନୀ ଦିବସ ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ଘର ନିକଟରେ ସାଙ୍ଗସାଥୀଙ୍କ ସହ ଖେଳୁଥିବା ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ । ପରିବାରବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପତ୍ତା ନମିଳିବାରୁ ପାଟପୁର ଥାନାକୁ ଖବର ଦିଆଯାଇଥିଲେ । ପୋଲିସ ଗାଁରେ ପହଞ୍ଚି ତଦନ୍ତ କରି ଫେରିଥିଲେ । ପରିବାର ଲୋକେ ରାତିସାରା ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇନଥିଲେ । ଗ୍ରାମର କିଛି ବ୍ୟକ୍ତି ସକାଳେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ନିର୍ମାଣାଧୀନ ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ଖବର ପାଇ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ସ୍କ୍ବାଡ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା ।
ପୋଲିସର କହିବାନୁଯାୟୀ ଶିଶୁକନ୍ୟାଙ୍କୁ ଚକଲେଟ ଓ ଚିପ୍ସ ଦେଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ନିକଟ ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ମାମୁଁ କାଳିଆ ନେଇଥିଲା । ସେଠାରେ ଅଶ୍ଳୀଳ ଭିଡିଓ ଦେଖି ନିଶାସକ୍ତ ଅବସ୍ଥାରେ ଏହି ଅମାନୁଷିକ କାଣ୍ଡ ଘଟାଇଥିଲା ।