ସୁନ୍ଦରଗଡ: ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ । ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ । ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ ବିଭାଗର କାର୍ଯ୍ୟାନୁଷ୍ଠାନ । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା ଜାମଦାର ତହସିଲଦାର ଅଛନ୍ତି ମଧୁସ୍ମିତା । ୪ କୋଟିରୁ ଅଧିକ ଟଙ୍କାର ହୋଇଥିବା ଦୁର୍ନୀତିର ତଦନ୍ତ କରୁଛି EOW । ପୂର୍ବରୁ ମାମଲାରେ ମ୍ୟୁନିସିପାଲିଟିର ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି ।
ସୂଚନା ଅନୁସାରେ, ପୌରାଞ୍ଚଳର ଉନ୍ନତୀକରଣ ପାଇଁ ବିଭିନ୍ନ ଯୋଜନାରେ ଆସିଥିଲା ୨ କୋଟି ଟଙ୍କା । ହେଲେ ସେହି ଟଙ୍କାରେ ୨୦୦ଟି ଲାଇଟ୍ କିଣାଯାଇ ପୋଖରୀ ହୁଡ଼ାରେ ଲଗାଯାଇଥିବା ଦର୍ଶାଯାଇଛି । ପ୍ରତି ଲାଇଟ୍ ପିଛା ୭୮ ହଜାର ହିସାବ ଦିଆଯାଇଛି । ମାତ୍ର ଯାଞ୍ଚରୁ ଜଣାପଡ଼ିଛି ପୋଖରୀ ହୁଡ଼ାରେ ରହିଛି ୧୭୦ଟି ଲାଇଟ୍ । ୨୪ ଲକ୍ଷ ୧୮ ହଜାର ଟଙ୍କାର ୩୧ଟି ଲାଇଟ୍ର ପତ୍ତା ମିଳୁନି । ଏପରିକି ଅଧିକାରୀମାନେ ଅନ୍ୟ ଯୋଜନାରେ ପାଣ୍ଠିକୁ ପୌର ଅଧିକାରୀଙ୍କ ଅଜାଣତରେ ଖର୍ଚ୍ଚ କରିଥିବା ମାମଲାରେ ଦର୍ଶାଯାଇଛି । ତେବେ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବେଲପାହାଡ଼ ପୌରପରିଷଦରେ ଦୁର୍ନୀତି ଘଟଣାରେ ପୂର୍ବରୁ ଆକାଉଣ୍ଟାଣ୍ଟ ବିଭୂତି ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସାନିଟେସନ ଏକ୍ସପର୍ଟ ସୋମ୍ୟ ବିଶ୍ୱରଂଜନ ମହାଳି ଫେରାର ଅଛନ୍ତି ।