ପୁରୀ: ପିପିଲି ଉପ ନିର୍ବାଚନ ଭୋଟ ଗଣତି ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏଥିରେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ବାଜି ମାରିଛନ୍ତି। ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିଜୟ ଧାରାକୁ ପୁଅ ରୁଦ୍ର ସଫଳତାର ସହ ବଜାୟ ରଖିଛନ୍ତି। ୨୬ ରାଉଣ୍ଡ ଗଣତି ଶେଷ ହେବା ବେଳକୁ ବିଜେଡିର ରୁଦ୍ର ପ୍ରତାପ ୨୦,୬୨୨ ଭୋଟରେ ଭାଜପାର ଆଶ୍ରିତ ପଟ୍ଟନାୟକଙ୍କୁ ହରାଇ ଦେଇଛନ୍ତି। ରୁଦ୍ର ୯୬୩୯୨ ଭୋଟ ପାଇଥିବା ବେଳେ ଭାଜପାର ଆଶ୍ରିତ ପଟ୍ଟନାୟକ ୭୫୭୭୦ ଭୋଟ ପାଇଛନ୍ତି। କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମାତ୍ର ୪,୨୩୭ ଖଣ୍ଡ ଭୋଟ ମିଳିଛି।
ଫଳାଫଳ ଘୋଷିତ ନ ହୋଇ ଥିଲେ ମଧ୍ୟ ପିପିଲି ବିଜେଡି କାର୍ଯ୍ୟାଳୟ ଆଗରେ କର୍ମୀ ଏବଂ ଜନସାଧାରଣ ବାଜା ବଜାଇ ନାଚିବା ସହ ରଙ୍ଗ ଖେଳି ଉତ୍ସବ ମନାଉଛନ୍ତି।
ରୁଦ୍ରଙ୍କ ବିଜୟ ପରେ ଏଠାକାର ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି। ସକାଳୁ ଭୋଟ୍ଗଣତି ଆରମ୍ଭ ହେବା ପରେ ରୁଦ୍ରଙ୍କ ଭୋଟ୍ ବ୍ୟବଧାନ ବଢିଚାଲିଥିଲା। ଭୋଟଗଣତିର ପ୍ରତି ରାଉଣ୍ଡରେ ରୁଦ୍ରଙ୍କ ପ୍ରତି ଭୋଟରଙ୍କ ମତ ବୃଦ୍ଧି ପାଇବା ପରେ ବିଜେଡିର ନେତା ଓ କର୍ମୀ
ମାନେ ପୁରୀ ମୁହିଁ ହୋଇଥିଲେ। ଅଧିକାଂଶ ବରିଷ୍ଠନେତା, କର୍ମୀ ଓ ସମର୍ଥକ ମାନେ ପିପିଲି ବିଜେଡି ଦଳୀୟ କାର୍ଯ୍ୟାଳୟ ସମେତ ବିଭିନ୍ନ ପଞ୍ଚାୟତର ଦଳୀୟ କାର୍ଯ୍ୟାଳୟ ଠାରେ ରୁଣ୍ଡ ହୋଇ ବିଜୟ ନାରା ଦେଇଥିଲେ। ତେବେ କରୋନା କଟକଣାକୁ ମାନି ବିଜେଡି ପକ୍ଷରୁ କୌଣସି ବିଜୟ ଶୋଭାଯାତ୍ରା କରାଯାଇନଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କୁ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା